24.1 C
Bhubaneswar
Friday, October 30, 2026
Homeଦେଶ ବିଦେଶଅକ୍ଟୋବର ୩୦ ଓ ୩୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଅକ୍ଟୋବର ୩୦ ଓ ୩୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଅକ୍ଟୋବର ୩୦ ତାରିଖ ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ବନାସକାଣ୍ଠାସ୍ଥିତ ‘ଏମ୍ବ୍ରିଓ ଟ୍ରାନ୍ସଫର୍ ଟେକ୍ନୋଲୋଜୀ-ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍’ (ଇଟି-ଆଇଭିଏଫ) ପରୀକ୍ଷାଗାର ଏବଂ ‘ଭାରତ ବୋଭାଇନ୍ ବ୍ରିଡିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ (ବିବିବିଆରସି) ଗୋପାଳନ ଫାର୍ମ ପରିଦର୍ଶନ କରିବେ। ସେ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ବାବଦରେ ୧୯,୦୦୦ କୋଟି ଟଙ୍କା ଜାରି କରିବେ। ଏଥିସହିତ ଦୁଇଟି ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ଏବଂ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ।

ଏହାପରେ ପ୍ରଧାନମନ୍ତ୍ରୀ କେଭାଡ଼ିଆସ୍ଥିତ ଏକତା ନଗର ଗସ୍ତ କରିବେ। ସେଠାରେ ଅପରାହ୍ନ ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ‘ଭାରତ ପର୍ବ ୨୦୨୬’ର ଉଦ୍ଘାଟନ କରିବେ। ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ରେ ସେ ‘ଏକତା ପ୍ରକାଶ ପର୍ବ’ରେ ଯୋଗଦେବେ। ଏହାପରେ ରାତି ପ୍ରାୟ ୮ଟା ୧୫ ମିନିଟ୍ରେ ‘ନର୍ମଦା ଆଳତି’ରେ ସାମିଲ ହେବେ।

ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୯ଟାରେ ପ୍ରଧାନମନ୍ତ୍ରୀ ଏକତାର ପ୍ରତୀକ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପୁଷ୍ପାଞ୍ଜଳି ଅର୍ପଣ କରିବେ। ଏହାପରେ ସକାଳ ପ୍ରାୟ ୯ଟା ୧୫ ମିନିଟ୍ରେ ଏକତା ନଗରରେ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହାପରେ ସେ ଏକତା ନଗରସ୍ଥିତ ‘ରେନ୍ ଫରେଷ୍ଟ’ (ବର୍ଷା ବନ) ଏବଂ ‘ବାମନ ବୃକ୍ଷ ବାଟିକା’ ପରିଦର୍ଶନ କରିବେ। ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ।

ବନାସକାଣ୍ଠାରେ ପ୍ରଧାନମନ୍ତ୍ରୀ

ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଭିଲଡ଼ିଠାରେ ଅବସ୍ଥିତ ‘ଭାରତ ଗୋ-ପ୍ରଜନନ ଓ ଗବେଷଣା କେନ୍ଦ୍ର’ (ବିବିବିଆରସି)କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୧୨୭ ଏକର ଜମି ଉପରେ ବ୍ୟାପିଥିବା ଏହି କେନ୍ଦ୍ରଟି ଏକ ଅତ୍ୟାଧୁନିକ ‘ଉତ୍କର୍ଷ କେନ୍ଦ୍ର’ ଭାବରେ ସ୍ଥାପିତ ହୋଇଛି। ଏହା ଗୋବଂଶ ପ୍ରଜନନ, ଜେନେଟିକ୍ ଉନ୍ନତୀକରଣ ଏବଂ ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟାକୁ ସୁଦୃଢ଼ କରିବା ସହ ପଶୁ ପ୍ରଜାତିର ଉନ୍ନତି ପ୍ରକ୍ରିୟାକୁ ୧୦ରୁ ୨୦ ଗୁଣ ତ୍ୱରାନ୍ୱିତ କରିବ। ‘କଙ୍କରେଜ’ ଜାତୀୟ ଗୋବଂଶ ପ୍ରଜାତିର ସଂରକ୍ଷଣ ଓ ଉନ୍ନତୀକରଣ ପାଇଁ ଉତ୍ସର୍ଗୀକୃତ ଏହା ଦେଶର ପ୍ରଥମ ଏଭଳି କେନ୍ଦ୍ର ହେବ।

‘ବନାସ ଡାଏରୀ’ର ଦୁଇଟି ବାୟୋ-ସିଏନ୍ଜି (Bio-CNG) ପ୍ଲାଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଥାରାଡ ଓ ରାଧନପୁରଠାରେ ଶିଳାନ୍ୟାସ କରିବେ। ଏହି ପ୍ଲାଣ୍ଟ ଦୁଇଟିରେ ଦୈନିକ ଯଥାକ୍ରମେ ୭୫ ମେଟ୍ରିକ୍ ଟନ୍ ଓ ୧୦୦ ମେଟ୍ରିକ୍ ଟନ୍ ଗୋବର ପ୍ରକ୍ରିୟାକରଣ କରାଯାଇପାରିବ।

ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ୨ଏ (ବିମାନବନ୍ଦର ସମ୍ପ୍ରସାରଣ) ଏବଂ ୨ବି (ଗିଫ୍ଟ ସିଟି ସମ୍ପ୍ରସାରଣ) ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପର ୨ଏ ପର୍ଯ୍ୟାୟର ଦୈର୍ଘ୍ୟ ୬ କିଲୋମିଟରରୁ ଅଧିକ ହେବ। ଏଥିରେ କୋଟେଶ୍ୱର ରୋଡ୍ରୁ ବିମାନବନ୍ଦର ପର୍ଯ୍ୟନ୍ତ ୫ଟି ଷ୍ଟେସନ୍ ରହିବ। ସେହିପରି, ୨ବି ପର୍ଯ୍ୟାୟର ଦୈର୍ଘ୍ୟ ୩.୩ କିଲୋମିଟରରୁ ଅଧିକ ହେବ। ଏଥିରେ ଗିଫ୍ଟ ସିଟିରୁ ଶାହପୁର ପର୍ଯ୍ୟନ୍ତ ୩ଟି ଷ୍ଟେସନ୍ ରହିବ।

ପ୍ରାୟ ୨,୬୦୦ କୋଟି ଟଙ୍କା ବ୍ୟୟରେ ଅହମ୍ମଦାବାଦ-ମେହସାନା ରାସ୍ତା (ରାଜ୍ୟ ରାଜପଥ-୪୧)କୁ ୪ ଲେନ୍ରୁ ୮ ଲେନ୍କୁ ଉନ୍ନୀତ ଓ ସୁଦୃଢ଼ କରିବା ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଦ୍ୱାରା ଅହମ୍ମଦାବାଦ ଓ ଉତ୍ତର ଗୁଜରାଟ ମଧ୍ୟରେ ଯାତାୟାତ ଅଧିକ ଦ୍ରୁତ, ସୁରକ୍ଷିତ ଓ ଆରାମଦାୟକ ହେବ।

ପ୍ରଧାନମନ୍ତ୍ରୀ ଗୁଜୁରାଟରେ ୪,୦୩୦ଟି ନୂତନ ଶିଶୁ-ଅନୁକୂଳ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ୩୬୧ଟି ସମ୍ପୂର୍ଣ୍ଣ ହୋଇଥିବା ଶିଶୁ-ଅନୁକୂଳ ଅଙ୍ଗନୱାଡ଼ି କେନ୍ଦ୍ରର ଉଦ୍ଘାଟନ କରିବେ। ୮୦୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପଦକ୍ଷେପ ଦ୍ୱାରା ୪ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ୫୨୧ଟି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ; ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ପ୍ରାୟ ୪,୯୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶୀତଳ ଭଣ୍ଡାର ଓ ଶୀତଳ ଶୃଙ୍ଖଳ ବ୍ୟବସ୍ଥା, ଗୋଦାମ, ଶସ୍ୟ ସଂରକ୍ଷଣ ସାଇଲୋ, ପଲିହାଉସ୍ ଓ ଗ୍ରିନ୍ହାଉସ୍, ସମନ୍ୱିତ ପ୍ରାଥମିକ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଅନ୍ତର୍ଭୁକ୍ତ।

ଏହା ସହିତ, ସନାଦରଠାରେ ଆଳୁ ପ୍ରକ୍ରିୟାକରଣ କାରଖାନାର ସମ୍ପ୍ରସାରଣ କାର୍ଯ୍ୟର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ପାଲନପୁରଠାରେ ଅତ୍ୟଧିକ ଉଚ୍ଚ ତାପମାତ୍ରାରେ ପ୍ରକ୍ରିୟାକୃତ ଉତ୍ପାଦ ପାଇଁ ‘ଅଟୋମେଟେଡ୍ ଷ୍ଟୋରେଜ୍ ଆଣ୍ଡ ରିଟ୍ରିଭାଲ୍ ସିଷ୍ଟମ୍’ ବା ସ୍ୱୟଂଚାଳିତ ସଂରକ୍ଷଣ ଓ ପୁନଃପ୍ରାପ୍ତି ବ୍ୟବସ୍ଥା’ର ମଧ୍ୟ ଶୁଭାରମ୍ଭ କରିବେ।

ରେଳ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ (ସାବରମତୀ)-ବାରାଣସୀ ଏକ୍ସପ୍ରେସ୍ ଏବଂ ମେହସାଣା-ବେଚରାଜୀ-ସାବରମତୀ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ବାବଦରେ ୧୯,୦୦୦ କୋଟି ଟଙ୍କା ଜାରି କରିବେ। ଏହାଦ୍ୱାରା ଦେଶର କୃଷକମାନେ ନିରନ୍ତର ଆର୍ଥିକ ସହାୟତା ପାଇପାରିବେ। ଏଥିସହ ଅନୁମୋଦିତ ୧୨ଟି ଉଦ୍ୟାନ କୃଷି କ୍ଲଷ୍ଟରରେ କ୍ଷେତ୍ରସ୍ତରୀୟ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରାୟ ୧.୪୬ ଲକ୍ଷ ହେକ୍ଟର ଜମିରେ ପରିବ୍ୟାପ୍ତ ଏହି କ୍ଲଷ୍ଟରଗୁଡ଼ିକ ଦ୍ୱାରା ୧.୩ ଲକ୍ଷରୁ ଅଧିକ କୃଷକ ଉପକୃତ ହେବେ ବୋଲି ଆଶା କରାଯାଉଛି। ଉତ୍ତର ଗୁଜରାଟରେ ଥିବା ଦୁଇଟି କ୍ଲଷ୍ଟରରେ ଆଳୁ ଚାଷ ଓ ଏହାର ଉତ୍ପାଦନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଏକତା ନଗରରେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୩୦ ତାରିଖରେ ‘ରାଷ୍ଟ୍ରୀୟ ଏକତା ଦିବସ’ ସମାରୋହର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଏକତା ନଗରଠାରେ ‘ଭାରତ ପର୍ବ ୨୦୨୬’ର ଉଦ୍ଘାଟନ କରିବେ। ଭାରତର ସାଂସ୍କୃତିକ ଐତିହ୍ୟ ଓ ଜାତୀୟ ଏକତାକୁ ପାଳନ କରିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରତିଫଳିତ କରିବା ଲକ୍ଷ୍ୟରେ ଏହି ଉତ୍ସବର ପରିକଳ୍ପନା କରାଯାଇଛି। ଏହି ମହୋତ୍ସବରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜସ୍ୱ ପରମ୍ପରା, ଲୋକକଳା ଓ ଲୋକନୃତ୍ୟ, ଆଞ୍ଚଳିକ ଖାଦ୍ୟ, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏହି ଉତ୍ସବ ଏକତା ନଗର ଓ ଏହାର ଆଖପାଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହି ମହୋତ୍ସବ ୨୦୨୬ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତର ଏକତା, ବିବିଧତା, ସାଂସ୍କୃତିକ ଐତିହ୍ୟ ଓ ପ୍ରଗତିକୁ ଉତ୍ସବ ମାଧ୍ୟମରେ ପାଳନ କରୁଥିବା ‘ଏକତା ପ୍ରକାଶ ପର୍ବ’ରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ବିଭିନ୍ନ ବିଷୟଭିତ୍ତିକ ଆଲୋକସଜ୍ଜା ଓ ଆଲୋକ ପ୍ରଦର୍ଶନ ମାଧ୍ୟମରେ ଏହି ଉତ୍ସବ ଏକତା ନଗରରେ ରାତ୍ରିକାଳୀନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛି। ଏହି ଉତ୍ସବରେ ଦୁଇଟି ପ୍ରମୁଖ ଆକର୍ଷଣ ରହିଛି।

୫୩୦ ମିଟର ଲମ୍ବା ‘ଭ୍ୟାଲି ଅଫ୍ ଫ୍ଲାୱର୍ସ ରୋଡ୍’ର ଆଲୋକସଜ୍ଜାର ବିଷୟବସ୍ତୁ ରହିଛି ‘ପ୍ରାଚୀନ ଭାରତରୁ ଆଧୁନିକ ଭାରତ ପର୍ଯ୍ୟନ୍ତ’। ଏଥିରେ ଭାରତର ଜାତୀୟ ପରିଚୟ, ସଭ୍ୟତା, ମହିଳା ସଶକ୍ତୀକରଣ, ସୁରକ୍ଷା ବାହିନୀ, ପ୍ରଯୁକ୍ତିବିଦ୍ୟା, ଯୋଗ ଏବଂ ଶିଶୁମାନଙ୍କ ପାଇଁ ଏକ କଳ୍ପନାମୟ ଦୁନିଆକୁ ପ୍ରଦର୍ଶିତ କରାଯାଇଛି। ସେହିପରି, ୧୮୦ ମିଟର ଲମ୍ବା ‘ଗ୍ଲୋ ଟନେଲ୍’ର ବିଷୟବସ୍ତୁ ହେଉଛି ‘ଭାରତର ବିବିଧତା ମଧ୍ୟରେ ଏକତା’। ଏହି ଟନେଲ୍ ଦେଇ ଯିବା ସମୟରେ ଦେଶର ଚାରିଟି ଅଞ୍ଚଳର ସଂସ୍କୃତି, ସ୍ଥାପତ୍ୟ, ଲୋକନୃତ୍ୟ, ହସ୍ତଶିଳ୍ପ ଓ ଜୀବନଶୈଳୀର ଅନୁଭୂତି ମିଳିପାରିବ। ଏହି ଆଲୋକ ପ୍ରଦର୍ଶନରେ ୧.୫ କୋଟିରୁ ଅଧିକ ଏଲ୍ଇଡି ଲାଇଟ୍ ବ୍ୟବହାର କରାଯାଇଛି। ଦେଶର ବିଭିନ୍ନ ଅଞ୍ଚଳର କଳାକାରମାନେ ଏଥିପାଇଁ ବିଭିନ୍ନ କଳାକୃତି ସୃଷ୍ଟି କରିଛନ୍ତି।

ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଏକତା ନଗରଠାରେ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକ ସ୍ୱେରେଜ୍ (ମଳ ନିଷ୍କାସନ) ଓ ଜଳ ବିଶୋଧନ ପ୍ଲାଣ୍ଟ, କୋଠାବାଡ଼ିର ସୌନ୍ଦର୍ଯ୍ୟମୂଳକ ଆଲୋକସଜ୍ଜା, ନର୍ମଦା ଘାଟର ଉନ୍ନତୀକରଣ, ଆଇଆରସିଟିସି ହୋଟେଲ୍ ଏବଂ ଏକତା ନଗରରେ ରେନ୍ଫରେଷ୍ଟ, ୟୁନିଟି ଓ ଇକୋ ଟ୍ରେଲ୍ ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଗୋରା-ଭାଣ୍ଡ୍ରା ସଡ଼କ ବିକାଶ; ସମନ୍ୱିତ ‘ଜିରୋ ୱେଷ୍ଟ’ (ଶୂନ୍ୟ ବର୍ଜ୍ୟବସ୍ତୁ) ସ୍ମାର୍ଟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ; ଖଲୱାନି ଇକୋ-ଟୁରିଜିମ୍ (ପରିବେଶ ପର୍ଯ୍ୟଟନ) ବିକାଶ; ଏବଂ କ୍ୟାକ୍ଟସ୍ ଓ ବଟରଫ୍ଲାଏ ଗାର୍ଡେନ୍ର ସମନ୍ୱିତ ବିକାଶ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ୨୦୨୬ ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ‘ରାଷ୍ଟ୍ରୀୟ ଏକତା ଦିବସ’ ସମାରୋହରେ ଯୋଗଦେବେ।

ଏହି ପରେଡ୍ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ରାଜ୍ୟ ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନଗୁଡ଼ିକର ଶୃଙ୍ଖଳା, ବୃତ୍ତିଗତ ଦକ୍ଷତା, ସାହସ ଏବଂ ନିଷ୍ଠାକୁ ପ୍ରଦର୍ଶିତ କରିବ। ଚଳିତ ବର୍ଷର ପରେଡରେ ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବାରେ ସୁରକ୍ଷା ବାହିନୀର ସଫଳତା ତଥା ପୂର୍ବରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି, ସୁରକ୍ଷା ଏବଂ ବିକାଶ ଦିଗରେ ଆସିଥିବା ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଏହି ଉତ୍ସବର ଏକ ମୁଖ୍ୟ ଆକର୍ଷଣ ହେଉଛି ‘ନକ୍ସଲ ମୁକ୍ତ ଭାରତ’ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ନାଟ୍ୟ ପ୍ରଦର୍ଶନ, ଯାହାକୁ ‘ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମା’ (ଏନ୍ଏସ୍ଡି) ଦ୍ୱାରା ଆୟୋଜନ କରାଯାଉଛି। ଏଥିରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ୧୨୬ଟି ଜିଲ୍ଲାର ପ୍ରାୟ ୨,୦୦୦ କଳାକାର ଅଂଶଗ୍ରହଣ କରିବେ। ନାଟ୍ୟ ପ୍ରଦର୍ଶନ ମାଧ୍ୟମରେ, ଏହି କଳାକାରମାନେ ସମ୍ପୃକ୍ତ ଅଞ୍ଚଳର ସମ୍ପ୍ରଦାୟଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଶାନ୍ତି, ସୁରକ୍ଷା ତଥା ବିକାଶ ଆଡ଼କୁ ସେମାନଙ୍କ ଯାତ୍ରାକୁ ଚିତ୍ରଣ କରିବେ।

ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ ପରିବେଷଣଗୁଡ଼ିକର ମୁଖ୍ୟ ବିଷୟବସ୍ତୁ ରହିବ ‘ବନ୍ଦେ ମାତରମ୍’। ଏହା ଦେଶପ୍ରେମ, ଜାତୀୟ ଗର୍ବ ଏବଂ ସାମୂହିକ ଏକାତ୍ମବୋଧକୁ ପ୍ରତିଫଳିତ କରିବ। ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଜନସାଧାରଣଙ୍କ ଆକାଂକ୍ଷା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଲୋକମାନଙ୍କ ବିକାଶ ଯାତ୍ରାକୁ ପ୍ରଦର୍ଶିତ କରାଯିବ।

ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫,୦୦୦ କଳାକାରଙ୍କୁ ନେଇ ଏକ ଭବ୍ୟ ସାଂସ୍କୃତିକ ପରିବେଷଣ ଆୟୋଜିତ ହେବ। ଏହା ମାଧ୍ୟମରେ ଦେଶର ବିବିଧ ଶାସ୍ତ୍ରୀୟ ଓ ଲୋକକଳା ପରମ୍ପରା, ସଙ୍ଗୀତ, ନୃତ୍ୟ ଏବଂ କଳାତ୍ମକ ଐତିହ୍ୟକୁ ପାଳନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking