ଭୁବନେଶ୍ୱର: ଓଡ଼ିଶାରେ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ନାଗରିକକୈନ୍ଦ୍ରିକ ସେବା ପ୍ରଦାନକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ ପଦକ୍ଷେପ “ଅଙ୍କୁର” (Atal Network for Knowledge, Urbanisation and Reform) ଆଗେଇ ଚାଲିଛି । ଭୁବନେଶ୍ୱରରେ ଆୟୋଜିତ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍ ୨୦୨୬ ଅବସରରେ ANKUR ସହଯୋଗୀ ସଂସ୍ଥାଗୁଡ଼ିକର ହ୍ୟାଣ୍ଡବୁକ୍ ଉନ୍ମୋଚିତ ହୋଇଛି ।ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ପରିକଳ୍ପନାରୁ ଆରମ୍ଭ ହୋଇଥିବା ANKURକୁ ରାଜ୍ୟ ସରକାର ୨୮ ମେ ୨୦୨୫ରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ‘ବିକଶିତ ଓଡ଼ିଶା @୨୦୩୬’ ଓ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ସହ ସମନ୍ୱିତ ଏହି ପଦକ୍ଷେପ ଜ୍ଞାନ, ଗବେଷଣା, ନବସୃଜନ ଓ କାର୍ଯ୍ୟକାରୀ ସହାୟତାକୁ ସରକାରୀ ପ୍ରାଥମିକତା ସହ ଯୋଡ଼ିଛି । ଏହାର ଚାରିଟି ମୁଖ୍ୟ ସ୍ତମ୍ଭ ହେଉଛି—ଦକ୍ଷତା ବିକାଶ, ଜ୍ଞାନ ଓ ଗବେଷଣା, କାର୍ଯ୍ୟକାରୀ ସହାୟତା ଏବଂ ନବସୃଜନ ।
ଅଙ୍କୁର ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଜନାଗ୍ରହ, ଅର୍ବାନ୍ ମ୍ୟାନେଜମେଣ୍ଟ ସେଣ୍ଟର୍, ଇ-ଗଭ୍ ଫାଉଣ୍ଡେସନ୍, ଲାଇଟ୍ହାଉସ୍ କମ୍ୟୁନିଟିଜ୍ ଫାଉଣ୍ଡେସନ୍, UN-Habitat, ପ୍ରସ୍ପେରିଟି, ଏୟାର ପଲ୍ୟୁସନ୍ ଆକ୍ସନ୍ ଗ୍ରୁପ୍, ଏୟାରାୱତ ରିସର୍ଚ୍ଚ ଫାଉଣ୍ଡେସନ୍, ସୋକ୍ରାଟସ୍ ଫାଉଣ୍ଡେସନ୍ ଓ WRI India ସମେତ ୧୧ଟି ସହଯୋଗୀ ସଂସ୍ଥା ସାମିଲ ହୋଇଛନ୍ତି । ଏହି ସଂସ୍ଥାଗୁଡ଼ିକ ସହରୀ ଯୋଜନା, ପୌର ଅର୍ଥନୀତି, ଡିଜିଟାଲ୍ ସେବା, ଜୀବିକା, ପରିମଳ ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବୈଷୟିକ ଜ୍ଞାନ ଓ ସହାୟତା ଯୋଗାଇ ଦେଉଛନ୍ତି ।
ANKUR ମାଧ୍ୟମରେ ସମ୍ପତ୍ତି କର ସଂସ୍କାର, ସୁଯୋଗ ଡିଜିଟାଲ୍ ପ୍ଲାଟଫର୍ମର ସୁଦୃଢ଼ୀକରଣ, ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ପରିମଳ କର୍ମଚାରୀଙ୍କ କଲ୍ୟାଣ, ସହରୀ ଯୋଜନା ନିୟମାବଳୀରେ ସଂସ୍କାର ଏବଂ ବାୟୁ ପ୍ରଦୂଷଣ ହ୍ରାସ ଭଳି ପଦକ୍ଷେପକୁ ସହାୟତା ମିଳୁଛି । ପ୍ରସ୍ପେରିଟିର ବୈଷୟିକ ସହଯୋଗରେ ଓଡ଼ିଶା ଡେଭଲପମେଣ୍ଟ ଅଥରିଟିଜ୍ ରୁଲ୍ସରେ ପରିବର୍ତ୍ତନ ଅଣାଯାଇଛି । ଏଥିରେ ଶିଳ୍ପ ଜମିର ଆବଶ୍ୟକତା ଅନୁପାତକୁ ହ୍ରାସ କରାଯିବା ସହ ଅଧିକ ନମନୀୟ ଜୋନିଂ ବ୍ୟବସ୍ଥା ପ୍ରଚଳନ ଅନ୍ତର୍ଭୁକ୍ତ ।
ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ସୁଯୋଗ ପ୍ଲାଟଫର୍ମ ପୌର ସେବା ପ୍ରଦାନକୁ ଅଧିକ ସରଳ ଓ ଦକ୍ଷ କରିବାରେ ସହାୟକ ହେଉଛି । ଏହା ମାଧ୍ୟମରେ ପୌର କର୍ମଚାରୀଙ୍କ ରିପୋର୍ଟ ପ୍ରସ୍ତୁତିରେ ଲାଗୁଥିବା ସମୟ ହାରାହାରି ୪୮ ପ୍ରତିଶତ ହ୍ରାସ ପାଇଛି । ୨୦୨୬–୨୭ରେ ଏହି ପ୍ଲାଟଫର୍ମର ପରିସରକୁ ୧୧୫ଟିରୁ ୧୪୦ଟି ପୌରାଞ୍ଚଳକୁ ସମ୍ପ୍ରସାରଣ କରିବା, ତଥ୍ୟର ଶୁଦ୍ଧତା ବୃଦ୍ଧି ଓ ରାଜସ୍ୱ ପରିଚାଳନାକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି ।
ଲାଇଟ୍ହାଉସ୍ ସେଣ୍ଟର୍ଗୁଡ଼ିକରେ ୯,୭୦୩ ଜଣ ଯୁବକଯୁବତୀ ଦକ୍ଷତା ବିକାଶ ପାଠ୍ୟକ୍ରମରେ ନାମ ଲେଖାଇଥିବାବେଳେ ୪,୬୪୬ ଜଣ ନିଯୁକ୍ତି ପାଇଛନ୍ତି। ଗରିମା ଯୋଜନା ସହ ସମନ୍ୱୟ ମାଧ୍ୟମରେ ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଦକ୍ଷତା ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି କରାଯାଉଛି ।
SAHAJOG ଓ SAHAJOG Plus ପଦକ୍ଷେପ ମାଧ୍ୟମରେ ୬.୬୦ ଲକ୍ଷ ପରିବାର ପାଖରେ ପହଞ୍ଚିବା ସହ ୩.୨୫ ଲକ୍ଷରୁ ଅଧିକ କଲ୍ୟାଣକାରୀ ଯୋଜନା ଆବେଦନରେ ସହାୟତା କରାଯାଇଛି । ଏହାଦ୍ୱାରା ପ୍ରାୟ ୧୦,୦୦୦ କୋଟି ଟଙ୍କାର ସରକାରୀ କଲ୍ୟାଣକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟତା ମିଳିଛି ।
ପରିବେଶ ସୁରକ୍ଷା କ୍ଷେତ୍ରରେ କମ୍ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍ ଓ ଶିଳ୍ପ ବର୍ଜ୍ୟରୁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ନିର୍ମାଣ ଓ ଭଙ୍ଗାରୁଜା ବର୍ଜ୍ୟର ପୁନଃବ୍ୟବହାର ଏବଂ ବାୟୁ ପ୍ରଦୂଷଣର ସ୍ଥାନୀୟ ଉତ୍ସ ଚିହ୍ନଟ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ଦୈନିକ ୫୦ ଟନ୍ ପ୍ଲାଷ୍ଟିକ୍ ପୁନରୁଦ୍ଧାରର ଲକ୍ଷ୍ୟ ରଖାଯାଇଛି। ଖୋଲା ସ୍ଥାନରେ ଅଳିଆ ପକାଇବା, କଞ୍ଚା ରାସ୍ତା ଓ ନିର୍ମାଣ ବର୍ଜ୍ୟ ଭଳି ପ୍ରଦୂଷଣ ଉତ୍ସ ଉପରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ସହରୀ ପରିବେଶର ଗୁଣବତ୍ତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି ।
ସରକାରୀ ସଂସ୍ଥା, ବିଶେଷଜ୍ଞ ଓ ସହଯୋଗୀ ସଂଗଠନଗୁଡ଼ିକୁ ଏକତ୍ର କରି ANKUR ସହରୀ ସମସ୍ୟାର ବ୍ୟବହାରିକ ସମାଧାନ ଚିହ୍ନଟ, ପରୀକ୍ଷଣ ଓ ପ୍ରସାର ପାଇଁ ଏକ ସମନ୍ୱିତ ମଞ୍ଚ ପ୍ରଦାନ କରୁଛି । ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହି ସହଯୋଗଭିତ୍ତିକ ଆଭିମୁଖ୍ୟକୁ ପ୍ରଦର୍ଶିତ କରିବା ସହ ଜ୍ଞାନ ବିନିମୟ ଓ ନବସୃଜନକୁ ଆଗେଇ ନେବାରେ ସହାୟକ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାରେ ସ୍ୱଚ୍ଛ, ସୁରକ୍ଷିତ, ସ୍ଥାୟୀ ଓ ନାଗରିକକୈନ୍ଦ୍ରିକ ସହର ଗଠନ ଦିଗରେ ଉଦ୍ୟମକୁ ଅଧିକ ସୁଦୃଢ଼ କରାଯାଉଛି ।










