ଭୁବନେଶ୍ୱର: ପବନ ସମ୍ପର୍କିତ ସତର୍କ ସୂଚନା ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ରାଜ୍ୟର ସମସ୍ତ ୟୁଏଲ୍ବିକୁ ହାଇଆଲର୍ଟ ରହିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୟୁ ଏଲ୍ ବି ସ୍ଥାନୀୟ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା, ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ଅଧିକ ସତର୍କତା, ପ୍ରସ୍ତୁତି ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ବିଭାଗ ଗୁରୁତ୍ୱାରୋପ କରିଛି । ଏଥିସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନେବା ସହ ଅତ୍ୟାବଶ୍ୟକ ପୌର ସେବାଗୁଡ଼ିକର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ମଧ୍ୟ ସମସ୍ତ ୟୁଏଲ୍ବିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ନାଗରିକମାନେ ସତର୍କ ରହିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା ଏବଂ ସ୍ଥାନୀୟ ପ୍ରଶାସନ ଓ ଅନ୍ୟ ସକ୍ଷମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ପରାମର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ନାଗରିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ନିକାୟ ସଜାଗ, ତତ୍ପର ଓ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।










