ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବକୁ ନେଇ ବଡ ଖବର ।ବଙ୍ଗୋପସାଗରରେ ଶକ୍ତି ବଢ଼ାଉଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’! ବାତ୍ୟା ଅର୍ଣ୍ଣବର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ବାତ୍ୟା ଯେତେବେଳେ ଅଧିକ ଶକ୍ତିଶାଳୀ ହୁଏ, ଏହାର କେନ୍ଦ୍ରଭାଗରେ ଏକ ଗୋଲାକାର ଅଞ୍ଚଳ ଦେଖାଦେଇଥାଏ । ଏହାକୁ ସାଇକ୍ଲୋନ ଆଇ ବା ବାତ୍ୟାର ଆଖି କୁହାଯାଏ । ବାତ୍ୟାର ଚାରିପାଖରେ ଥିବା ମେଘମାଳ ଓ ଘୂର୍ଣ୍ଣିବଳୟ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବା ବେଳେ ଏହାର କେନ୍ଦ୍ର ଭାଗରେ ତୁଳାତ୍ମକ ଭାବେ ପବନର ବେଗ କମ ଥାଏ । ଏହି ଅଞ୍ଚଳରେ ବାୟୁ ଉପରୁ ଥଳକୁ ଖସେ । ବାତ୍ୟାର ଆଖି ଦୃଶ୍ୟମାନ ହୋଇଥିବା ଅର୍ଥ ଏହା ବାତ୍ୟାର ସଂଗଠିତ ଓ ତୀବ୍ର ହେଉଥିବାର ଏକ ସଙ୍କେତ ହୋଇପାରେ । ୨୪ ଘଣ୍ଟାରେ ୫୬ କିମି ଯାଏଁ ପବନ ବଢିଲେ ଏହାକୁ ରାପିଡ ଇଣ୍ଟେନସିଫକେସନ କୁହାଯାଏ । ତେବେ, ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା କରି କହିଛନ୍ତି ରାଜ୍ୟରେ ୮ NDRF, ୪୦ ODRAF ଟିମ୍ ବର୍ତ୍ତମାନ ସୁଦ୍ଧା ମୁତୟନ ହୋଇଛନ୍ତି । ସ୍ଥଳସେନା ଓ ବାୟୁସେନା ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି । ଜିଲ୍ଲାରେ ସମସ୍ତ ଜିଲ୍ଲାପାଳ ସଜାଗ ରହିଛନ୍ତି । ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ସହ କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ପ୍ରଭାବିତ ହୋଇପାରେ । ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସମୁଦ୍ର ଉପକୂଳବର୍ତ୍ତୀ ଲୋକେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ହୋଇପାରନ୍ତି ।










