ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗାଁରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବୁଟ୍ ଖାଇବାକୁ ଦେବା ବାହାନାରେ ପଡ଼ୋଶୀ ଯୁବକ ଶିଶୁଟିକୁ ଘରକୁ ଡାକି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମଧ୍ୟ ନ୍ୟାୟ ମିଳିନଥିବା ଏବଂ ମାମଲା ଉଠାଇ ନେବାକୁ ପରିବାରକୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୬ ତାରିଖ ଲକ୍ଷ୍ମୀପୂଜା ଦିନ ନାବାଳିକାର ବାପା ଓ ମାଆ କୌଣସି କାମରେ ଜଳେଶ୍ୱର ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ନାବାଳିକା ତାଙ୍କ ଭାଇଙ୍କ ସହ ପଡ଼ୋଶୀ ଘରକୁ ଫୋନ୍ କରିବା ପାଇଁ ଯାଇଥିଲେ ।
ଏହି ସମୟରେ ପଡ଼ୋଶୀ ଘରର ଜଣେ ଯୁବକ ବୁଟ୍ ଖାଇବାକୁ ଦେବା ବାହାନାରେ ଶିଶୁଟିକୁ ଘରକୁ ଡାକି ଅସଦାଚରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରେ ଘରକୁ ଫେରି ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ପରିବାର ଅଭିଯୋଗ କରିଛି । ଅନ୍ୟପଟେ, ମାମଲା ଉଠାଇ ନେବା ପାଇଁ ଅଭିଯୁକ୍ତ ପରିବାରକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡ଼ିତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବାବେଳେ ଘଟଣାର ଉଚିତ ତଦନ୍ତ ଓ ନ୍ୟାୟ ପାଇଁ ଦାବି ହୋଇଛି।










