ଗୁରୁଗ୍ରାମ: ଦୀର୍ଘ ୧୬ ଘଣ୍ଟାର ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଇବର୍ ସିଟି ଗୁରୁଗ୍ରାମ । ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ସହରର ଘରଗୁଡ଼ିକ ଅନ୍ଧାରରେ ବୁଡ଼ି ରହିଥିବା ବେଳେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି କଳକାରଖାନା ପର୍ଯ୍ୟନ୍ତ ସବୁଠି ଠପ୍ ହୋଇପଡ଼ିଛି ଦୈନନ୍ଦିନ କାମଧନ୍ଦା । ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ହରିୟାଣାର ପ୍ରମୁଖ ନଗରୀ ଗୁରୁଗ୍ରାମରେ ବଡ଼ ଧରଣର ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୬ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ଲଗାତାର ପାୱାର କଟ୍ ଯୋଗୁଁ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋକଙ୍କ ଘରେ ମୋଟର ନଚାଲିବାରୁ ପାଣି ଟ୍ୟାପ୍ ଶୁଖିଲା ପଡ଼ିଛି ଏବଂ ପିଇବା ପାଣି ଟୋପାଏ ପାଇଁ ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ୁଛି। ଅନ୍ୟପଟେ କରେଣ୍ଟ ଅଭାବରୁ ଶିଳ୍ପାଞ୍ଚଳରେ ଥିବା ଛୋଟବଡ଼ କଳକାରଖାନାଗୁଡ଼ିକ ଅଚଳ ହୋଇପଡ଼ିଛି, ଯାହାଫଳରେ ବ୍ୟବସାୟୀମାନଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି ।










