ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ରାଜ୍ୟର ଶିକ୍ଷାମିତ୍ରମାନଙ୍କୁ ସରକାରୀ ଚାକିରି ଦେବା ସହ ସେମାନଙ୍କୁ ପୂର୍ଣ୍ଣକାଳୀନ ଶିକ୍ଷକ କରାଯିବ ବୋଲି ସେ କହିଛନ୍ତି । ଏହା ସହିତ ବିଜେପି ସରକାର ଉପରେ ନିର୍ବାଚନରେ ଅନିୟମିତତା କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ।
ଲକ୍ଷ୍ନୌରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ଅଖିଳେଶ କହିଛନ୍ତି ଯେ, ଶିକ୍ଷାମିତ୍ରଙ୍କୁ ନେଇ ବିଜେପି ଆରମ୍ଭ କରିଥିବା ଅଧାପନ୍ତରିଆ ଯୋଜନାକୁ ସମାଜବାଦୀ ପାର୍ଟି ପୂରଣ କରିବ। ଶିକ୍ଷାମିତ୍ରମାନଙ୍କୁ ପୂର୍ଣ୍ଣ ଶିକ୍ଷକ ଭାବେ ନିଯୁକ୍ତି ଦେଇ ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ସେ ଦାବି କରିଛନ୍ତି ।
ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ନିର୍ବାଚନରେ ଅନିୟମିତତା ଓ ହେରଫେର ବିନା ବିଜେପି ଜିତିପାରିବ ନାହିଁ। ନିର୍ବାଚନୀ ପ୍ରକ୍ରିୟାରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ନିୟୋଜିତ କରି ଲୋକଙ୍କୁ ଭୟଭୀତ କରାଯାଉଥିବା ଏବଂ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଯେଉଁ ଅଞ୍ଚଳରେ ନିର୍ବାଚନ ହେବାକୁ ଅଛି, ସେଠାରେ ମୌଳିକ ଶିକ୍ଷା ଅଧିକାରୀ (BSA) ଓ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ (DIOS) ଫୋନ୍ କଲ୍ ମାଧ୍ୟମରେ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି। ଏଭଳି କାର୍ଯ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଚିନ୍ତାଜନକ ବୋଲି ସେ କହିଛନ୍ତି ।










