ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗା ଘାଟିରେ ଶନିବାର ଭୋରୁ ଏକ ଅଟୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୪ ଜଣ ଆହତଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ନାମନଗଡ଼ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ନିକଟ ଦୁର୍ଗା ଘାଟିରେ ଭୋରୁ ଏହି ଦୁର୍ଘଟଣା ଘଟିଥିଲା। ଅଟୋରେ ମୋଟ ୬ ଜଣ ଯାତ୍ରୀ ଥିବାବେଳେ କୌଣସି କାରଣରୁ ଏହା ଘାଟିରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ସୁଣ୍ଡିଆଣି ଘାଣ୍ଟାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ନିଆଯାଇଥିଲା।










