ଭୁବନେଶ୍ୱର: ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ / ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ / ସଦସ୍ୟା, ଶିକ୍ଷକ/ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସମାପ୍ତିସୂଚକ ଆକଳନ-୧ରେ ଛାତ୍ରଛାତ୍ରୀମାନଙ୍କର ଉପଲବଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନା, ଛାତ୍ରଛାତ୍ରୀମାନଙ୍କର ନିରାପତ୍ତା , ଆବାସିକ ଛାତ୍ରାବାସ ଅନ୍ତେବାସୀମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ, ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଞ୍ଚାୟତ ଗଠନ ବିଷୟରେ ବିଦ୍ୟାଳୟ ଓ ଅଭିଭାବକମାନଙ୍କର ଭୂମିକା, ନିଶାମୁକ୍ତ ଭାରତ ଅଭିଯାନ,ବିକଶିତ ଭାରତର ପରିଚୟ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନ୍ର ବ୍ୟବସ୍ଥାକୁ ତଦାରଖ କରିବା ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପ୍ରଗତି, ବିଦ୍ୟାଳୟର ବିକାଶରେ ଗୋଷ୍ଠୀର ଭୂମିକା ଓ ଶିକ୍ଷାର ମାନବୃଦ୍ଧି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ସର୍ବବିଧ ଉନ୍ନତି ପାଇଁ ଅଭିଭାବକମାନଙ୍କ ଠାରୁ ଗଠନମୂଳକ ପ୍ରସ୍ତାବ ଆହୂତ କରାଯାଇଥିଲା ।










