ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ଶିଳ୍ପ ଉପଯୋଗୀ ପ୍ରଶିକ୍ଷଣ ଓ ନିଯୁକ୍ତି ସୁଯୋଗ ଦାବି
ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ
ଶିଳ୍ପ ସଂସ୍ଥା ସହ ଅଧିକ ସମନ୍ୱୟ, ଗୁଣାତ୍ମକ ପ୍ରଶିକ୍ଷଣ ଓ ନିଯୁକ୍ତି ସମ୍ପର୍କିତ ସ୍ୱଚ୍ଛ ତଥ୍ୟ ପ୍ରକାଶ ପାଇଁ ଆହ୍ୱାନ
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରଙ୍କ ଦକ୍ଷତା ବିକାଶ ପଦକ୍ଷେପ ଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ଆଜି ବିଜୁ ଜନତା ଦଳ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଆଧୁନିକ ଶିଳ୍ପ, ନୂତନ ଜ୍ଞାନକୌଶଳ ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଉପଲବ୍ଧ ନିଯୁକ୍ତି ସୁଯୋଗର ଆବଶ୍ୟକତା ଅନୁଯାୟୀ ରାଜ୍ୟରେ ଥିବା ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା ଯୁବକଯୁବତୀଙ୍କୁ ପ୍ରସ୍ତୁତ କରିବାରେ କେତେଦୂର ସଫଳ ହେଉଛି, ସେ ନେଇ ଦଳ ପ୍ରଶ୍ନ ଉଠାଇଛି ।
ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ ଯେ, ଦକ୍ଷତା ବିକାଶ କେବଳ ଘୋଷଣା, ଭିତ୍ତିଭୂମି ନିର୍ମାଣ ଓ ପ୍ରଚାରପ୍ରସାର ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ । ଯେକୌଣସି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରକୃତ ସଫଳତା ହେଉଛି ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣର ଗୁଣବତ୍ତା, ପ୍ରଶିକ୍ଷଣପ୍ରାପ୍ତ ପ୍ରାର୍ଥୀଙ୍କ ନିଯୁକ୍ତି ଉପଯୋଗିତା ଏବଂ ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ଓ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗର ଉପଲବ୍ଧତା । ବିଜେଡି ଗୁରୁତ୍ୱାରୋପ କରିଛି ଯେ, ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଶିଳ୍ପ ତାଲିମ ପ୍ରତିଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍ନିକ୍ ଭଳି ଅନୁଷ୍ଠାନଗୁଡ଼ିକ ଏକ ଦକ୍ଷ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ତେବେ ଏହି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଦକ୍ଷତାକୁ ବୈଷୟିକ ଶିକ୍ଷାର ଗୁଣବତ୍ତା, ଶିଳ୍ପଭିତ୍ତିକ ପ୍ରଶିକ୍ଷଣ, ନିଯୁକ୍ତି ହାର ଏବଂ ନିଜର ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଭଳି ମାପ ଯୋଗ୍ୟ ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ।
ଦକ୍ଷତା ବିକାଶ ପ୍ରତିଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ନିରନ୍ତର ଆଧୁନିକୀକରଣ କରିବା, ପ୍ରଶିକ୍ଷଣ ସୁବିଧାର ଉନ୍ନତିକରଣ କରିବା ଏବଂ ପରିବର୍ତ୍ତିତ ଶିଳ୍ପ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମରେ ସଂଶୋଧନ ଆଣିବା ଉପରେ ଦଳ ଗୁରୁତ୍ୱ ଦେଇଛି । ଓଡ଼ିଶାର ଯୁବକଯୁବତୀମାନେ ପରିବର୍ତ୍ତନଶୀଳ ନିଯୁକ୍ତି ବଜାରରେ ପ୍ରତିଯୋଗିତା କରିବାକୁ ସକ୍ଷମ ହେବା ପାଇଁ ନୂତନ ଜ୍ଞାନକୌଶଳ, ଉନ୍ନତ ଉତ୍ପାଦନ ବ୍ୟବସ୍ଥା, ଡିଜିଟାଲ୍ ଦକ୍ଷତା ଏବଂ ଭବିଷ୍ୟତମୁଖୀ ଅନ୍ୟାନ୍ୟ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଶିକ୍ଷା, ବୈଷୟିକ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦିଆଯାଇଥିବା ଗୁରୁତ୍ୱକୁ ସ୍ମରଣ କରି ବିଜେଡି କହିଛି ଯେ, ଓଡ଼ିଶାରେ ଏକ ସାମଗ୍ରିକ ଓ ଦୂରଦର୍ଶୀ ଦକ୍ଷତା ବିକାଶ ନୀତିର ଆବଶ୍ୟକତା ରହିଛି । ଏହି ନୀତି ଶିକ୍ଷାକୁ ଶିଳ୍ପର ଆବଶ୍ୟକତା ସହ ଯୋଡ଼ିବା ସହ ପ୍ରଶିକ୍ଷଣରୁ ନିଯୁକ୍ତି ପର୍ଯ୍ୟନ୍ତ ସ୍ପଷ୍ଟ ମାର୍ଗ ସୃଷ୍ଟି କରିବା ଉଚିତ୍ । ଦକ୍ଷତା ବିକାଶକୁ ଆର୍ଥିକ ଅଭିବୃଦ୍ଧି, ଶିଳ୍ପ ସମ୍ପ୍ରସାରଣ, ନବସୃଜନ ଏବଂ ଜୀବିକା ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ବିବେଚନା କରାଯିବା ଆବଶ୍ୟକ ବୋଲି ଦଳ କହିଛି ।
ବିଜେପି ସରକାରଙ୍କ ଦକ୍ଷତା ବିକାଶ ସମ୍ପର୍କିତ ବହୁ ପ୍ରଚାରିତ ଦାବିଗୁଡ଼ିକ ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀଙ୍କୁ ପ୍ରକୃତ ସୁଫଳ ପ୍ରଦାନ କରୁଛି କି ନାହିଁ, ସେ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି । ନାମଲେଖା, ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା, ନିଯୁକ୍ତି ହାର, ନିଯୁକ୍ତିରେ ସ୍ଥାୟିତ୍ୱ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ପ୍ରକୃତ ଶିଳ୍ପ ଚାହିଦା ସହ କେତେଦୂର ସମନ୍ୱିତ, ସେ ସମ୍ପର୍କରେ ସ୍ୱଚ୍ଛ ଓ ଭରଷାଯୋଗ୍ୟ ତଥ୍ୟ ସାର୍ବଜନୀନ କରିବାକୁ ଦଳ ସରକାରଙ୍କୁ ଆହ୍ୱାନ ଦେଉଛୁ । ବିଜେପିର ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ଦକ୍ଷତା ପ୍ରଶିକ୍ଷଣ ଓ ନିଯୁକ୍ତିର ଆବଶ୍ୟକତା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାରେ ପର୍ଯ୍ୟାପ୍ତ ସଫଳତା ପାଇନାହିଁ ବୋଲି ବିଜେଡି ଅଭିଯୋଗ କରିଛି । କେବଳ ଅନୁଷ୍ଠାନ ସ୍ଥାପନ କିମ୍ୱା ନୂତନ ପଦକ୍ଷେପ ଘୋଷଣା କରିଦେଲେ ଓଡ଼ିଶାର ଯୁବକଯୁବତୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ ନାହିଁ । ଏଥିପାଇଁ ବ୍ୟବହାରିକ ଦକ୍ଷତା, ଶିଳ୍ପ ସଂସ୍ଥାର ସ୍ୱୀକୃତି ଏବଂ ଉପଯୁକ୍ତ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ଦଳ ମତ ପ୍ରକାଶ କରିଛି ।
ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଓ ନିଯୁକ୍ତିଦାତାଙ୍କ ମଧ୍ୟରେ ଅଧିକ ଦୃଢ଼ ସହଭାଗିତା ସ୍ଥାପନ କରିବାର ଆବଶ୍ୟକତା ଉପରେ ବିଜେଡି ଗୁରୁତ୍ୱ ଦେଇଛି । ପାଠ୍ୟକ୍ରମ ପ୍ରସ୍ତୁତି, ବ୍ୟବହାରିକ ପ୍ରଶିକ୍ଷଣ, ଆପ୍ରେଣ୍ଟିସ୍ସିପ୍, ଇଣ୍ଟର୍ନସିପ୍ ଏବଂ କ୍ୟାମ୍ପସ୍ ନିଯୁକ୍ତି ପ୍ରକ୍ରିୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଅଂଶଗ୍ରହଣକୁ ସୁଦୃଢ଼ କରାଯିବା ଆବଶ୍ୟକ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଯୁକ୍ତିଦାତାଙ୍କ ପ୍ରକୃତ ଆବଶ୍ୟକତା ଅନୁଯାୟୀ ଦକ୍ଷତା ହାସଲ କରିପାରିବେ । ଦୀର୍ଘମିଆଦୀ କ୍ୟାରିୟର୍ର ଉନ୍ନତି ପାଇଁ ପ୍ରଭାବଶାଳୀ ନିଯୁକ୍ତି ସହାୟତା ସହିତ ନିରନ୍ତର ଦକ୍ଷତା ଉନ୍ନତିକରଣ ଓ ପୁନଃଦକ୍ଷତା ବିକାଶର ସୁଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ । ବିଜେଡି, ବିଜେପି ସରକାରଙ୍କୁ ରାଜ୍ୟର ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବ୍ୟାପକ ସମୀକ୍ଷା କରିବା, ୱାର୍ଲ୍ଡ ସ୍କିଲ୍ ସେଣ୍ଟରକୁ ସୁଦୃଢ଼ କରିବା, ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର ଆଧୁନିକୀକରଣ କରିବା, ଶିଳ୍ପ ସଂସ୍ଥା ସହ ସହଭାଗିତା ବୃଦ୍ଧି କରିବା ଏବଂ ପ୍ରଶିକ୍ଷଣ ଓ ନିଯୁକ୍ତିର ଫଳାଫଳ ପାଇଁ ସ୍ପଷ୍ଟ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସ୍ଥାପନ କରିବାକୁ ଆହ୍ୱାନ ଦେଇଛି ।
ବିଜେଡି ଦୃଢ଼ ଭାବେ କହିଛି ଯେ, ଓଡ଼ିଶାର ଯୁବକଯୁବତୀମାନେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଗୁଣାତ୍ମକ ଶିକ୍ଷା, ଶିଳ୍ପ ଉପଯୋଗୀ ଦକ୍ଷତା, ସୁଯୋଗରେ ସମାନତା ଏବଂ ଦୀର୍ଘସ୍ଥାୟୀ ନିଯୁକ୍ତି ପାଇବାର ଅଧିକାର ରଖନ୍ତି । ରାଜ୍ୟର ଯୁବଶକ୍ତିକୁ ଦେଶୀୟ ଓ ବିଶ୍ୱସ୍ତରୀୟ ଶିଳ୍ପର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ କରି ସେମାନଙ୍କ ଜନସାଂଖିକ ଶକ୍ତିକୁ ପ୍ରକୃତ ଆର୍ଥିକ ବିକାଶର ଚାଳକଶକ୍ତିରେ ପରିଣତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବିଜେଡି କହିଛି ।










