32.1 C
Bhubaneswar
Monday, October 12, 2026
Homeଓଡିଶାଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର: ବିଜେଡି

ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର: ବିଜେଡି

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା । ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରିଥିଲେ । ଯାହା ପାଇଁ ଦେଶ ବିଦେଶରେ ଓଡ଼ିଶା ହକିର ନୂତନ ପରିଚୟ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି । ଓଡ଼ିଶାରେ ହକି ଏକ ଭାବନା । ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତର କମିଟି ମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରି ପାରୁନାହାନ୍ତି । ଓଡ଼ିଶା ହକି ଯିଏ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି । ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଗଲେଣି କି ପ୍ରଶ୍ନ କରିଛନ୍ତି । ହକି ଓଡ଼ିଶାର ଭାବନା ସହ ଜଡ଼ିତ ଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କ ଅପାରଗ ପଣିଆ ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଉରକେଲାରେ ହକି ଷ୍ଟାଡିୟମ୍ ହୋଇଥିଲା । ସରକାରୀ ପ୍ରୋତ୍ସାହନ ପାଇ ହକି ଖେଳାଳି ମାନେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଶାର ପ୍ରାଣକେନ୍ଦ୍ର ହକି ଖେଳ ତାହାର ପରିଚୟ ହରାଇବାକୁ ଲାଗିଛି । ବିଜେପି ସରକାରଙ୍କ ଚରମ ଅବହେଳା ଯୋଗୁଁ ଓଡ଼ିଶା ହକିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକି ଓଡ଼ିଶା ପାଇଁ ଅତି ନିନ୍ଦନୀୟ । ଓଡ଼ିଶାର ହକି ପରିଚୟ ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।

ଡ଼ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଯାଇଛନ୍ତି । ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାନସିକତା ନାହିଁ । ଯେଉଁ ହକି ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଗୌରବ ଅର୍ଜନ କରିଥିଲା । ଓଡ଼ିଶା ସବୁଠି ଆଦୃତ ହେଉଥିଲା । ବିଜେପି ସରକାରଙ୍କ ବିଫଳତା ଯୋଗୁଁ ସେ ପରିଚୟ ହରାଇଛି । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ମନ୍ତ୍ରୀ ଭୁଲି ଯାଇଛନ୍ତି । ଦୌଡ଼ ଟ୍ରାକ ଉପରେ ମନ୍ତ୍ରୀ ଗାଡି ଚଳାଇଥିଲେ । ଯାହା ଫଳରେ ହକି ଖେଳ ପ୍ରତି ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଇଛି । ସୁନ୍ଦରଗଡ ଜିଲ୍ଲା ହେଉଛି ହକି ଖେଳର ଏନ୍ତୁଡ଼ିଶାଳ । ଯାହାକୁ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରୟାସ ସଦା ପ୍ରଶଂସିତ ରହିଛି । ସୁନ୍ଦରଗଡ ହକି ଖେଳାଳି ଆଗକୁ ଗଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଆହୁରି ପ୍ରସଂଶିତ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାଣିଥିଲେ । ଯାହାକୁ ନେଇ ସେ ସଦା ଯତ୍ନଶୀଳ ହୋଇ କାର୍ଯ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହାକୁ ଭୁଲି ଯାଇଛି । ହକି ବିଶ୍ୱ କପ୍ ଓଡ଼ିଶା ଆୟୋଜନ କରିଥିଲା । ଅନ୍ୟ ରାଷ୍ଟ୍ର ମାନେ ବିଶ୍ୱ କପ୍ ନେଇ ଅକ୍ଷମତା ପ୍ରକାଶ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାହାକୁ ଆୟୋଜନ କରି ଓଡ଼ିଶା ହକିକୁ ନୂତନ ପରିଚୟ ପ୍ରଦାନ କରିଥିଲେ । ଗତ ଅଢେଇ ବର୍ଷ ଧରି ହକି ପ୍ରତି ଉଦାସୀନତା ଯୋଗୁଁ ଓଡ଼ିଶାର ହକି ମାନରେ ଅବନତି ଘଟିଛି । ହକି ପ୍ରତି ଅବହେଳା ଯୋଗୁଁ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃବର୍ଗୀକରଣ କରାଯିବ । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ହକି ଖେଳ ଉତ୍ପତ୍ତି ସ୍ଥଳୀ ଓଡ଼ିଶାକୁ ଯଦି ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ତାହା ଅତି ନିନ୍ଦନୀୟ । ଏହା କଣ ଆମ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ହକି ଖେଳକୁ ନେଇ ଓଡ଼ିଆ ଗର୍ବିତ ହେଉଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ପାଇଁ ନିନ୍ଦିତ ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ଏଥି ପାଇଁ ପ୍ରତିଟି ଓଡିଆ ଅପମାନିତ ହେଉଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking