ସମ୍ବଲପୁର: ସକାଳୁ ସକାଳୁ ହାତୀ ଆକ୍ରମଣରେ ଚାଲିଗଲା ଜୀବନ। ଶୌଚ ପାଇଁ ଘରୁ ବାହାରକୁ ଯାଇଥିଲେ, ହେଲେ ଆଉ ଘରକୁ ଫେରିଲେନି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସଇଡ଼ା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଅଞ୍ଜଳି କୁସୁମ । ସୂଚନା ଅନୁସାରେ, ସକାଳୁ ଅଞ୍ଜଳି ଶୌଚ ପାଇଁ ଯାଇଥିବା ସମୟରେ ୬ଟିକିଆ ହାତୀପଲ ସାମ୍ନାରେ ପଡ଼ିଯାଇଥିଲେ । ଏହାପରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।କୁଚିଣ୍ଡା ଅଞ୍ଚଳରେ ଗତକାଲିଠାରୁ ହାତୀଙ୍କ ଉପଦ୍ରବ ଜାରି ରହିଛି । ଏବେ ୬ଟିକିଆ ହାତୀପଲର ଗତିବିଧିକୁ ନେଇ ଚିନ୍ତା ବଢ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀପଲକୁ ଘଉଡ଼ାଇବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି । ତେବେ ହାତୀପଲ ଅଞ୍ଚଳରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ଆବଶ୍ୟକ । ବିଶେଷକରି ସକାଳୁ ଓ ସନ୍ଧ୍ୟା ସମୟରେ ଏକୁଟିଆ ଜଙ୍ଗଲ କିମ୍ବା ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ଯିବାରୁ ନିବୃତ୍ତ ରହିବା ସହ ବନ ବିଭାଗର ନିର୍ଦ୍ଦେଶ ମାନିବା ଜରୁରୀ ।










