କେନ୍ଦୁଝର: କେନ୍ଦୁଝର ମେଡିକାଲରୁ ତଡ଼ିଦେଲେ, ରେଲୱେ ଓଭରବ୍ରିଜ୍ ତଳେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ପାଟଣା ଅଞ୍ଚଳର ବୃଦ୍ଧା ସାଗି ମୁଣ୍ଡାଙ୍କୁ ମାସେ ତଳେ ସାପ କାମୁଡ଼ିବା ପରେ ପ୍ରଥମେ ପାଟଣା ମେଡିକାଲ ଯାଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ଘରେ ଦେଶୀ ଚିକିତ୍ସା ନେଉଥିଲେ । ଦୁଇଦିନ ତଳେ ଦେହ ଅଧିକ ଖରାପ ହେବାରୁ କରଞ୍ଜିଆ ମେଡିକାଲ ଯାଇଥିବାବେଳେ ସେଠାରେ ୨ଟି ଇଞ୍ଜେସନ ଦେଇ କେନ୍ଦୁଝର ମେଡିକାଲ କଲେଜ ନେଇଯିବାକୁ କହିଥିଲେ । କିନ୍ତୁ ପରେ ଡାକ୍ତର ତାଙ୍କୁ କଟକ ମେଡ଼ିକାଲ ନେଇଯାଅ ବୋଲି କହିଥିଲେ । ହେଲେ ସାଗି ମୁଣ୍ଡାଙ୍କ ସ୍ୱାମୀଙ୍କ ପାଖରେ ଟଙ୍କା ନଥିବାରୁ ସେ ଚାଲିଚାଲି ମେଡିକାଲରୁ ବାହାରି ଯାଇଥିଲେ । ହେଲେ ଅସୁସ୍ଥ ଥିବାରୁ ଡାକ୍ତରଖାନା ନିକଟରେ ଥିବା ରେଳ ଧାରଣା କଡ ଓଭର ବ୍ରିଜ୍ ନିକଟରେ ପଡ଼ି ରହିଥିଲେ । ସକାଳୁ ‘ଭରସା ପରିବାର’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସୂଚନା ପାଇ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ । ହେଲେ ସେତେବେଳକୁ ସାଗୀ ମୁଣ୍ଡା ଆଖି ବୁଜିଦେଇଥିଲେ । ମେଡିକାଲ କଲେଜ ଥାଉ ଥାଉ ଜଣେ ରୋଗୀ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନପାଇ ବ୍ରିଜ୍ ତଳେ ମୃତ୍ୟୁବରଣ କରିବା ଅତ୍ୟନ୍ତ ହୃଦୟ ବିଦାରକ । ଏନେଇ ମେଡିକାଲ୍ କଲେଜ ଅଧୀକ୍ଷକଙ୍କୁ ପଚାରିବାରୁ ସେ ତଦନ୍ତ କରିବେ ବୋଲି କହିଛନ୍ତି ।










