ବାଲେଶ୍ୱର: ସାମାନ୍ୟ ମନ୍ଦାର ଫୁଲ ଡାଳ ଭାଙ୍ଗିଯିବାକୁ ନେଇ ବୋହୂଙ୍କ ଉପରେ ଶାଶୁ ଗରମ ତେଲ ଢାଳିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବୋହୂ ଗୁରୁତର ଭାବେ ପୋଡ଼ିଯାଇଥିବା ବେଳେ ତାଙ୍କୁ ପ୍ରଥମେ ଖଇରା ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି ।ଘଟଣାଟି ବାଲେଶ୍ୱର ଜିଲ୍ଲାର ମଠନୁଆଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲାର ସାବିତ୍ରୀ ଶିଅଳ ବାଲେଶ୍ୱର ଜିଲ୍ଲାର ହରିଶ୍ଚନ୍ଦ୍ର ଶିଅଳଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସ୍ୱାମୀଙ୍କ ପରିବାର ପକ୍ଷରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସାବିତ୍ରୀ ଅଭିଯୋଗ କରିଛନ୍ତି । ସାବିତ୍ରୀଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ଘର ନିକଟରେ ଥିବା ଏକ ମନ୍ଦାର ଫୁଲ ଡାଳ ବୋହୂଙ୍କ ଦ୍ୱାରା ହାଣି ଦିଆଯାଇଥିଲା। ଏହାକୁ ନେଇ ଶାଶୁଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହାପରେ ଶାଶୁ ଗରମ ତେଲ ବୋହୂଙ୍କ ଉପରେ ଢାଳିଦେଇଥିବା ଅଭିଯୋଗ ହୋଇଛି ।ଗରମ ତେଲରେ ଶରୀରର ବିଭିନ୍ନ ଅଂଶ ପୋଡ଼ିଯିବା ପରେ ତାଙ୍କୁ ତୁରନ୍ତ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଭଦ୍ରକ ମେଡିକାଲକୁ ରେଫର କରାଯାଇଛି । ଘଟଣାକୁ ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଏବଂ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ ।










