ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକମାନଙ୍କର ସମାଜ ପ୍ରତି ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ସୁସ୍ଥ ଓ ସୁରକ୍ଷିତ ଜୀବନଯାପନ ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଜି ସକାଳେ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଏକ ଯୋଗ ଓ ଆଧ୍ୟାତ୍ମିକ ଶିବିରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ସେସନକୁ ଆର୍ଟ ଅଫ୍ ଲିଭିଂର ବରିଷ୍ଠ ପ୍ରଶିକ୍ଷକ ଶ୍ରୀମତୀ ହରପ୍ରିୟା ମିଶ୍ର ଓ ଡକ୍ଟର ପ୍ରୀତିଷ କୁମାର ମିଶ୍ର ପରିଚାଳନା କରିଥିଲେ। ସେମାନେ ବରିଷ୍ଠ ନାଗରିକମାନଙ୍କୁ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ପାଇଁ ସହଜ ଯୋଗାସନ ଓ ପ୍ରାଣାୟାମ ଶିଖାଇଥିଲେ।
ଏହାପରେ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡ଼ା. ବୃନ୍ଧା ଡ଼ି., ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟୱାରୀ ଏବଂ ଅତିରିକ୍ତ ସଚିବ ଶ୍ରୀ ଦୀପକ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବରିଷ୍ଠ ନାଗରିକମାନଙ୍କ ତ୍ୟାଗ ଓ ଅବଦାନ ପାଇଁ ସେମାନଙ୍କୁ ବର୍ଷସାରା ୩୬୫ ଦିନ ସମ୍ମାନ ଜଣାଇବା ଉଚିତ। ସନ୍ଥକବି ଭୀମ ଭୋଇଙ୍କ କାଳଜୟୀ ପଙ୍କ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ର ଉଦାହରଣ ଦେଇ ସେ ବରିଷ୍ଠ ନାଗରିକଙ୍କ ନିସ୍ୱାର୍ଥପର ସେବାକୁ ମନେ ପକାଇଥିଲେ। ଏଥିସହ ପରିବାରରେ ମୂଲ୍ୟବୋଧ ବଜାୟ ରଖିବା ପାଇଁ ଆଜିର ଯୁଗରେ କାହାଣୀ ମାଧ୍ୟମରେ ଜେଜେବାପା , ଜେଜେମା ଓ ନାତିନାତୁଣୀଙ୍କ ସମ୍ପର୍କକୁ ପୁଣି ଥରେ ମଜବୁତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଅରୁଣ କୁମାର ସାବତ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ସହଜ ଆର୍ଥିକ ପରାମର୍ଶ ଦେଇଥିଲେ। ସେ ଆୟକର, ରିଭର୍ସ ମୋର୍ଟଗେଜ୍, ଋଣ ଓ ଆସେଟ୍ ପ୍ଲାନିଂ ବିଷୟରେ ବୁଝାଇବା ସହ ପରିବାରରେ ଭବିଷ୍ୟତର ଜମିଜମା ବିବାଦ ଏଡ଼ାଇବା ପାଇଁ ସଠିକ୍ ଯୋଜନା କରିବାକୁ କହିଥିଲେ। ସେ କହିଥିଲେ ଯେ ଶେଷ ବୟସରେ ଜଟିଳ ଶେୟାର ବଜାରରେ ଟଙ୍କା ନଲଗାଇ ବିଶେଷଜ୍ଞଙ୍କ ପରାମର୍ଶ ନେଇ ମ୍ୟୁଚୁଆଲ୍ ଫଣ୍ଡ୍ ଓ ଗୋଲ୍ଡ ଇଟିଏଫ୍ ରେ ନିବେଶ କରିବା ନିରାପଦ। ଏହା ସହିତ ନିଜ ସଞ୍ଚିତ ଅର୍ଥରୁ ଦେଶ-ବିଦେଶ ଭ୍ରମଣ କରିବା ଓ ନାତିନାତୁଣୀଙ୍କ ଭବିଷ୍ୟତ ପାଇଁ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ସଞ୍ଜ ସମୟରେ ‘ଶ୍ୱେତ ପଦ୍ମ’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତ ନିର୍ଦ୍ଦେଶକ ସିତାଂଶୁ ଶେଖର ରାଉତଙ୍କ ନିର୍ଦ୍ଦେଶନାରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କଣ୍ଠଶିଳ୍ପୀ ତାନ୍ସେନ୍ ସିଂହ, ସୁବାଷ ଦାସ, ଶ୍ରୀକର ପାଢ଼ୀ, ପ୍ରଶାନ୍ତ ସାମଲ, ଅନିନ୍ଦିତା ଦାସ ଓ ଛାନ୍ଦା ମିଶ୍ରଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବେଶ୍ ଆପ୍ଲୁତ କରିଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଛି।










