ଭୁବନେଶ୍ୱର: ସମାଧାନ ହେବ କି ମହାନଦୀ ଜଳ ବିବାଦ? ଜଳ ବିବାଦର ସମାଧାନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବଡ଼ ବୈଠକ ହେବ। ଆଉ ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ।କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାର ଆଧାର ହୋଇପାରେ। ଉଲ୍ଲେଖ ଥାଉ କି ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଆସିଛି। ଉପରମୁଣ୍ଡରେ ନିର୍ମାଣ ଏବଂ ଜଳ ନିୟନ୍ତ୍ରଣ ଯୋଗୁଁ ଓଡ଼ିଶାକୁ ତଳମୁଣ୍ଡରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଇଆସିଛି। ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି।










