ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଜୋରଜବରଦସ୍ତି ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାକୁ ନେଇ ନୟାପଲ୍ଲୀ ଥାନା ପୁଲିସ ଛାନଭିନ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ, ଜଣେ ଯୁବତୀଙ୍କୁ ଧମକ ଦେଇ ଅଭିଯୁକ୍ତ ଜୋରଜବରଦସ୍ତି କରିଥିବା କୁହାଯାଇଛି । ଘଟଣା ପରେ ଅଭିଯୁକ୍ତ ଜଣକ ‘ଆମ ବସ୍’ରେ ଫେରାର ହୋଇଯାଇଥିବା ନେଇ ପୁଲିସକୁ ସୂଚନା ମିଳିଛି । ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ଖୋଳତାଡ଼ କରୁଛି । ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ବସ୍ରେ ଅଭିଯୁକ୍ତ ଯାଇଥିବା ସମ୍ଭାବନା ଥିବାରୁ ସମ୍ପୃକ୍ତ ରୁଟ୍ ଓ ଅନ୍ୟାନ୍ୟ ସୂଚନା ମଧ୍ୟ ପୁଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି । ଅଭିଯୋଗର ସତ୍ୟତା ଏବଂ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହାସହ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଛାନଭିନ ଜାରି ରହିଛି।










