ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭କୁ ସ୍ୱଚ୍ଛ, ନିର୍ଭୁଲ, ଅଦ୍ୟତନ, ଅବାଧ ଓ ନାଗରିକ କେନ୍ଦ୍ରିକ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ସନ୍ତୋଷ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣରେ ରାଜ୍ୟର ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଆସିଷ୍ଟାଣ୍ଟ/ଡେପୁଟି କମିଶନର, କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ (BDO) ଏବଂ BLO ସୁପରଭାଇଜରମାନେ ଯୋଗଦେଇଥିଲେ।
ଆଗାମୀ ନିର୍ବାଚନ ପୂର୍ବରୁ ନିର୍ବାଚନୀ ପ୍ରସ୍ତୁତି, ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ, କ୍ଷେତ୍ରସ୍ତରୀୟ ସର୍ଭେ, ନିର୍ବାଚନ ପରିଚାଳନା ଏବଂ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷୀୟ ଅଭିଭାଷଣରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଆଗାମୀ ସାଧାରଣ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ, ଅଦ୍ୟତନ ଏବଂ ନାଗରିକ କେନ୍ଦ୍ରିକ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ସଠିକତା, ପାରଦର୍ଶିତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ସହିତ ନାଗରିକମାନଙ୍କୁ ସହଜ ଓ ସୁବିଧାଜନକ ଭାବେ ନିର୍ବାଚନୀ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଘରକୁ ଘର ସର୍ଭେ ଉପରେ ଗୁରୁତ୍ୱ:
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଘରକୁ ଘର ସର୍ଭେ (Door-to-Door Survey) ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ ଓ ଅଦ୍ୟତନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରେ ସାମିଲ ହେବାରୁ ବାଦ ନପଡ଼ନ୍ତି, ସେଥିପାଇଁ କ୍ଷେତ୍ରସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆୟୁକ୍ତ ପରାମର୍ଶ ଦେଇଥିଲେ। ଏଥିସହିତ ଭୋଟର ତାଲିକାରେ ଥିବା ନାମ, ଠିକଣା କିମ୍ବା ଅନ୍ୟାନ୍ୟ ବିବରଣୀର ତ୍ରୁଟି ସଂଶୋଧନ, ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା, ଅଯୋଗ୍ୟ କିମ୍ବା ଅନୁପସ୍ଥିତ ଭୋଟରଙ୍କ ସମ୍ପର୍କରେ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ଏବଂ ଭୋଟର ତାଲିକାର ଗୁଣାତ୍ମକ ମାନ ନିଶ୍ଚିତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ରାଜ୍ୟ ନିର୍ବାଚନ ଆୟୁକ୍ତ କହିଥିଲେ ଯେ, ଏକ ସୁସ୍ଥ ଓ ସମାବେଶୀ ନିର୍ବାଚନ ପ୍ରକ୍ରିୟା ପାଇଁ ଭୋଟର ତାଲିକାର ସଠିକତା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିଜ ଅଞ୍ଚଳରେ ଘରକୁ ଘର ସର୍ଭେ କରି ଭୋଟର ତାଲିକାକୁ ଯାଞ୍ଚ କରିବା ସହିତ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରି ନିୟମାନୁସାରେ ତାଲିକାରେ ସାମିଲ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ। ଭୋଟର ତାଲିକାରେ ଥିବା ତ୍ରୁଟିକୁ ଚିହ୍ନଟ କରି ତାହାର ସଂଶୋଧନ, ତଥ୍ୟର ନିର୍ଭୁଲତା ଯାଞ୍ଚ ଏବଂ ନିର୍ବାଚନୀ ପ୍ରକ୍ରିୟାରେ ଯୋଗ୍ୟ ସମସ୍ତ ନାଗରିକଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆୟୁକ୍ତ ଗୁରୁତ୍ୱ ଦେଇଥିଲେ।
ନିର୍ବାଚନ ପ୍ରସ୍ତୁତିରେ ସମନ୍ୱୟ ଉପରେ ଗୁରୁତ୍ୱ :
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ସମ୍ପୃକ୍ତ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ସହିତ କ୍ଷେତ୍ରସ୍ତରରେ ଆସୁଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭୋଟର ତାଲିକାର ସଠିକତା, କ୍ଷେତ୍ରସ୍ତରୀୟ ସର୍ଭେ, ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତିକରଣ, ତ୍ରୁଟି ସଂଶୋଧନ ଏବଂ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ବିଷୟ ଉପରେ ବିସ୍ତୃତ ଆଲୋଚନା ସହିତ ଅଧିକାରୀମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁଚାରୁ, ସ୍ୱଚ୍ଛ ଓ ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଏହି ପ୍ରଶିକ୍ଷଣ ରାଜ୍ୟର ନିର୍ବାଚନୀ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପୌର ନିର୍ବାଚନ ସମ୍ପର୍କିତ ଘରକୁ ଘର ସର୍ଭେ ସମ୍ବନ୍ଧରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ (ଆଇଏଏସ) ଆଲୋକପାତ କରିଥିବା ବେଳେ, ପଞ୍ଚାୟତ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୂର୍ଯ୍ୟ ନାରାୟଣ ଦାଶ ନିଜର ସୁଚିନ୍ତିତ ମନ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପ-ଜିଲ୍ଲାପାଳ ମନୋରଞ୍ଜନ ସାହୁ ଯୋଗଦେଇ ପାଇଲଟ ସର୍ଭେର କ୍ଷେତ୍ରସ୍ତରୀୟ ଅଭିଜ୍ଞତା ବାଣ୍ଟିବା ସହ ଉପସ୍ଥିତ କର୍ମଚାରୀଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସେହିପରି ବାଲିପାଟଣା ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ) ହରପ୍ରସାଦ ମହାନ୍ତି କଲ୍ୟାଣପୁର ଗ୍ରାମପଞ୍ଚାୟତରେ କରାଯାଇଥିବା ପାଇଲଟ ସର୍ଭେର ପ୍ରତ୍ୟକ୍ଷ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଏତଦ୍ବ୍ୟତୀତ ବିଏଲ୍ଓ ସୁପରଭାଇଜର ସୁଧାକର ବେହେରା ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନର ନିଜସ୍ୱ ଅଭିଜ୍ଞତା ବଖାଣିଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଉପସ୍ଥିତ ଅଧିକାରୀବୃନ୍ଦ ସର୍ଭେ ଏବଂ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ ସନ୍ଦେହ ଓ ଜଟିଳତା ବିଷୟରେ ମୁଖ୍ୟ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ପ୍ରଶିକ୍ଷକମାନେ ସେଗୁଡ଼ିକର ସନ୍ତୋଷଜନକ ଉତ୍ତର ଓ ସମାଧାନ ପ୍ରଦାନ କରିଥିଲେ। ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷରେ ଆୟୋଗର ଉପ ସଚିବ ଶ୍ରୀ ଦୁର୍ଗା ଚରଣ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ ଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗ ର ସଚିବ ସନ୍ତୋଷ କୁମାର ଦାଶ ,ପୌର ନିର୍ଦେଶକ ଅରିନ୍ଦମ ଡାକୁଆ (ଭା. ପ୍ର .ସେ) ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୂର୍ଯ୍ୟ ନାରାୟଣ ଦାଶ (ଭା. ପ୍ର .ସେ ,ଉପ-ସଚିବ ଦୁର୍ଗା ଚରଣ ମୁର୍ମୁ ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଆସିଷ୍ଟାଣ୍ଟ/ଡେପୁଟି କମିଶନର, କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ (BDO),ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ(GPDO) ଏବଂ ବିଏଲଓ (BLO) ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।










