ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜେପି ସରକାର ବିରୋଧରେ ବଡ଼ ଧରଣର ଆନ୍ଦୋଳନ ଲାଗି ଅଣ୍ଟା ଭିଡ଼ିଛି କଂଗ୍ରେସ ଓ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆସନ୍ତା ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଓଡିଶା ବନ୍ଦରେ ସାମିଲ ହେବାକୁ ଇଣ୍ଡି ମେଣ୍ଟର ସଦସ୍ୟଙ୍କୁ ଅପିଲ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ ପ୍ରତ୍ୟାହାର ଦାବି ପ୍ରସଙ୍ଗ, ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଣ୍ଟ ଆନ୍ଦୋଳନ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି ଯେ, ରାଜ୍ୟର ଖଣି ସମ୍ପଦର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ କୌଣସି ପ୍ରକାର ବୁଝାମଣା କରିବ ନାହିଁ । MMDR ସଂଶୋଧନ ଆଇନ ରାଜ୍ୟ ଅର୍ଥନୀତି ଉପରେ କୁଠାରଘାତ କରିବ । ସେହିପରି ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିସନର ନୈତିକତା ଦୃଷ୍ଟିରୁ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।










