କରଞ୍ଜିଆ: ଘରେ ପଶିଲା ମହାବଳ ବାଘ । ଭୟରେ ପରିବାର ଲୋକେ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖପରଖାଇ ଗ୍ରାମରେ ।ଗାଁରେ ଏବେ ମହାବଳ ବାଘ ଆତଙ୍କ ଦେଖାଦେଇଛି । ଗତ ତିନି ଦିନ ହେବ ଏଠାରେ ମହାବଳ ଆତଙ୍କ ଖେଳାଇଥିବା ବେଳେ ଗୁରୁବାର ରାତିରେ ଜୈନେକ ବ୍ୟକ୍ତିଙ୍କ ଘର ବାଡ଼ିରେ ଏହା ବସିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ବାଡି଼ରେ ମହାବଳ ବାଘ ବସିଥିବା ଦେଖି ଭୟଭୀତ ଅବସ୍ଥାରେ ରହିଥିଲେ ।
ବାଘ ଦେଖିବା ପରେ ସେମାନେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଘର ଲାଇଟ ଲିଭାଇ ଥିଲା । ଏହାପରେ ବାଘଟି ସେଠାରୁ ଚାଲି ଯାଇଥିଲା । କିନ୍ତୁ ବାଘଟି ଗାଁର ଆଉ ଜଣଙ୍କ ଘରେ ପଶିଯାଇଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚିଥିଲେ ବି ବର୍ତ୍ତମାନ ସୁଦ୍ଧା ଘର ଭିତରୁ ବାଘ ବାହାରି ନଥିବା ସୂଚନା ମିଳିଛି । ଯାହାକୁ ନେଇ ଆତଙ୍କ ଖେଳି ଯାଇଛି । ବନ ବିଭାଗ ମଧ୍ୟ ବାଘକୁ ବାହାର କରିବାକୁ କସରତ ଜାରି ରଖିଛି ।










