ଭୁବନେଶ୍ବର : ଗଭୀର ଅବପାତ ଜନିତ ଲଗାଣ ବର୍ଷା ୬ ଜିଲ୍ଲାରେ ପ୍ରଭାବ । ୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୫ ଜଣ ଅଫିସରକୁ ଫିଲ୍ଡକୁ ପଠାଇଲେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବୁଧବାର ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀଙ୍କୁ ପଠାଯାଇଥିଲା । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଗଜପତିରେ ବର୍ଷା ଯୋଗୁଁ କେତେକ ସ୍ଥାନରେ ଯୋଗାଯୋଗ ସମସ୍ୟା ଦେଖାଦେଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପକ୍ଷରୁ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ ଅଞ୍ଚଳ ଉପରେ ନଜର ରଖାଯାଇଛି । ସମ୍ଭାବ୍ୟ ଭୂସ୍ଖଳନକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି। ଆବଶ୍ୟକ ସ୍ଥାନରେ କର୍ମଚାରୀ ମୁତୟନ ସହ ବ୍ୟାରିକେଡ୍ କରାଯାଇଛି । ଭୂସ୍ଖଳନ ଘଟିଲେ ତୁରନ୍ତ ରାସ୍ତାରେ ଯାତାୟତ ବନ୍ଦ କରି ରାସ୍ତା ସଫା କରାଯିବ । ଏଭଳି ପରିସ୍ଥିତିରେ ସାଧାରଣ ଯାତାୟତ ରୋକାଯିବ । ୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହି ୬ ଜିଲ୍ଲାର ୩୭ଟି ବ୍ଲକ, ୧୬୦ଟି ଗ୍ରାମ ପଞ୍ଚାୟତ ଓ ୨୩୭ଟି ଗାଁ ପ୍ରଭାବିତ ହୋଇଛି । ଏହାସହ ୫ଟି ଅର୍ବାନ୍ ଲୋକାଲ ବଡିର ୨୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ମୋଟ ୮,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୮,୦୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।










