ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ ଆଇନ ବା MMDR ଆକ୍ଟର ସଂଶୋଧନ ପରେ ଓଡ଼ିଶାର ଖଣି ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ତାହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଛି। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିବାବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ତାରା ପ୍ରସାଦ ବାହିନୀପତି ଜାଣିବାକୁ ଚାହିଁଥିଲେ ଯେ MMDR ଆଇନ ସଂଶୋଧନ ଫଳରେ ଖଣି ଓ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ପରିବହନ ବାବଦରେ ଓଡ଼ିଶା କେତେ ରାଜସ୍ୱ ହରାଇପାରେ। ଏଥିସହ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ କେତେ ଖଣି ରାଜସ୍ୱ ଆଦାୟ କରିଥିଲା ଏବଂ ୨୦୨୬-୨୭ରେ ଏହାର ସମ୍ଭାବ୍ୟ ପରିଣାମ କେତେ ହେବ ବୋଲି ସେ ପ୍ରଶ୍ନ କରିଥିଲେ।
ଉତ୍ତରରେ ଖଣି ମନ୍ତ୍ରୀ କହିଥିଲେ, ସଂଶୋଧିତ ଆଇନ ଅନୁସାରେ ପ୍ରଣୟନ ହେବାକୁ ଥିବା ନିୟମ, ସର୍ତ୍ତାବଳୀ ଏବଂ ଆଇନ କାର୍ଯ୍ୟକାରୀ ହେବା ପରେ ହିଁ ରାଜସ୍ୱ ଉପରେ ପଡ଼ିବାକୁ ଥିବା ପ୍ରଭାବର ସଠିକ୍ ଆକଳନ କରାଯାଇପାରିବ। MMDR ସଂଶୋଧନକୁ ନେଇ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଆର୍ଥିକ ପ୍ରଭାବ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୬,୩୯୬.୫୦ କୋଟି ଟଙ୍କା ଖଣି ରାଜସ୍ୱ ଆଦାୟ କରିଥିଲେ। ଏହି ଆକଡ଼ା କେନ୍ଦ୍ର ଖଣି ମନ୍ତ୍ରଣାଳୟର ତଥ୍ୟ ସହ ମଧ୍ୟ ମେଳ ଖାଉଛି। ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ସେପ୍ଟେମ୍ବର ୧୫, ୨୦୨୬ ସୁଦ୍ଧା ୨୧,୫୮୬.୧୯ କୋଟି ଖଣି ରାଜସ୍ୱ ଆଦାୟ ହୋଇଥିବା ମନ୍ତ୍ରୀ କହିଛନ୍ତି।









