ଭୁବନେଶ୍ୱର: ମଧ୍ୟପ୍ରଦେଶରେ ପାଣିରେ ଭାସିଯାଇ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟଣାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବାଦ ପାଇବା କ୍ଷଣି ତୁରନ୍ତ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଥିଲେ । ସଙ୍ଗେ ସଙ୍ଗେ ସେ ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବଙ୍କ ସହିତ କଥା ହୋଇଥିଲେ । ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନଙ୍କ ସହ ନିରନ୍ତର ସମନ୍ୱୟ ରଖି ଉଦ୍ଧାର ଓ ଆବଶ୍ୟକ ପରବର୍ତ୍ତୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ଦିବଂଗତ ଅମରତ୍ମାଙ୍କ ସଦ୍ଗତି କାମନା କରି ଶୋକସନ୍ତପ୍ତ ଅନ୍ୟ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏ ସଂପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆବଶ୍ୟକ ତ୍ୱରିତ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାରଙ୍କ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରୀତିଶ ପଣ୍ଡା ଭୁବନେଶ୍ୱରସ୍ଥିତ ମୃତକଙ୍କ ଅନ୍ୟ ପରିବାର ଓ ସଂପର୍କୀୟଙ୍କୁ ଜୟଦେବ ବିହାର ୟୁନିଟ୍ -୧୬ ସ୍ଥିତ ଆତ୍ମାରାମ ବସ୍ତିରେ ସାକ୍ଷାତ କରି ମୃତକଙ୍କ ସମ୍ପର୍କରେ ବୁଝିଥିଲେ । ସେମାନେ ହେଲେ ଶିବ ପ୍ରସାଦ ବେହେରା (ବୟସ-୪୩ ), ସାଇ ସ୍ୱର୍ଣ୍ଣପ୍ରଭା ବେହେରା(୬), କ୍ରିଷ୍ଣା ରାଜବୀର(୧୩), ଜ୍ଞାନେନ୍ଦ୍ର କୁମାର ବେହେରା(୪୦), ରୀତାରାଣୀ ବେହେରା(୩୬), ସାଇ ସ୍ୱସ୍ଥିକ ବେହେରା(୧୦) ଏବଂ ରାଧାରାଣୀ ବେହେରା (୩୪) ।
ଏ ସଂପର୍କରେ କଲେକ୍ଟର କାର୍ଯ୍ୟାଳୟ ଏବଂ ଜିଲ୍ଲା ଦଣ୍ଡାଧିକାରୀ , ଜିଲ୍ଲା ଅଗର ମାଲଓ୍ୱା,ମଧ୍ୟ ପ୍ରଦେଶଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜିଲ୍ଲା ଆଗର-ମାଲୱା ଅନ୍ତର୍ଗତ ତହସିଲ ନଲଖେଡ଼ାସ୍ଥିତ ମା’ ବଙ୍ଗଳାମୁଖୀ ମନ୍ଦିରର ନାଳାରେ ଭୁବନେଶ୍ୱ, ଓଡ଼ିଶାର ୦୭ ଜଣ ଦର୍ଶନାର୍ଥୀଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମୃତଦେହ ସେମାନଙ୍କ ନିଜ ନିବାସସ୍ଥାନକୁ ଆମ୍ବୁଲାନ୍ସ/ଶବବାହନ ଯୋଗେ ପଠାଯାଇଛି । ଏହି କାର୍ଯ୍ୟ ପାଇଁ ଶ୍ରୀ ରାହୁଲ ଜୈନ, ରାଜସ୍ୱ ନିରୀକ୍ଷକ, ବୃତ୍ତ ତନୋଡ଼ିଆ, ତହସିଲ ଆଗରଙ୍କୁ ମୃତଦେହ ପରିବହନ ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଶ୍ରୀ ଅନୁପ ରାଜପୁତ “ ପଟୱାରୀ”ଙ୍କୁ ସହାୟକ ଭାବେ ନିୟୋଜିତ କରାଯାଇଛି । ଶ୍ରୀ ରାହୁଲ ଜୈନ, ଜଣେ ପୋଲିସ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ/ଶବବାହନ ଯୋଗେ ମୃତକମାନଙ୍କ ମୃତଦେହକୁ ଓଡ଼ିଶାରେ ଥିବା ସେମାନଙ୍କ ନିଜ ଜିଲ୍ଲାକୁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ କରି ପହଞ୍ଚାଇବାର କାର୍ଯ୍ୟ କରିବେ । ଏହି ଉଦ୍ଦେଶ୍ୟରେ ଓଡ଼ିଶାର ସଂପୃକ୍ତ ଅଧିକାରୀ ଶ୍ରୀ ପ୍ରିତୀଶ ପଣ୍ଡା, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ମୋବାଇଲ୍ ନମ୍ବର: ୯୫୮୩୩୨୧୯୬୪ )ଙ୍କ ସହ ନିରନ୍ତର ସମ୍ପର୍କରେ ରହିବେ ଏବଂ ସମୟ ସମୟରେ ଅପର କଲେକ୍ଟର ଏବଂ ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ, ଆଗର-ମାଲୱା (ମ.ପ୍ର.)ଙ୍କୁ ଅବଗତ କରାଇବେ ବୋଲି ମଧ୍ୟପ୍ରଦେଶ ଅଗର ମାଲଓ୍ୱା ଜିଲ୍ଲା କଲେକ୍ଟର ଙ୍କ ପକ୍ଷରୁ ପ୍ରେରିତ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିବା ଓଡିଶା ପରିବାର ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି ।










