ଭୁବନେଶ୍ୱର: ଜିଲ୍ଲା ତଥା କ୍ଷେତ୍ର ସ୍ତରରୁ ବିଭାଗକୁ ପଠାଯାଉଥିବା ବିଭିନ୍ନ ସ୍ପଷ୍ଟୀକରଣ, ଆଇନଗତ ମାମଲା ଏବଂ ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକର ସମ୍ପୂର୍ଣ୍ଣ ସମୀକ୍ଷା, ତଥ୍ୟ ଯାଞ୍ଚ ଏବଂ ସମୟଭିତ୍ତିକ ଅନୁଧ୍ୟାନ ନିଶ୍ଚିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବିନା ପର୍ଯ୍ୟାପ୍ତ ସମୀକ୍ଷା, ଅସମ୍ପୂର୍ଣ୍ଣ ତଥ୍ୟ କିମ୍ବା ଆବଶ୍ୟକୀୟ ଦସ୍ତାବିଜ୍ ବିନା ପ୍ରସ୍ତାବ ପଠାଯାଉଥିବାରୁ ବାରମ୍ବାର ଚିଠି ଆଦାନପ୍ରଦାନ ହେବା ସହ କାର୍ଯ୍ୟ ବିଳମ୍ବ ହେଉଥିବା ବିଭାଗ ପକ୍ଷରୁ ଲକ୍ଷ୍ୟ କରାଯାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ଦିଗଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି l ପ୍ରତ୍ୟେକ ପ୍ରସ୍ତାବରେ ଘଟଣାର ପୂରା ପୃଷ୍ଠଭୂମି, ସମ୍ପୃକ୍ତ ଆଇନ ତଥା ନିୟମ, ଏହାର ବିଶ୍ଳେଷଣ ଏବଂ ଜିଲ୍ଲାପାଳ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଓ ସୁପାରିଶ୍ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ । ଅଦାଲତ ମାମଲାର ସମୟଭିତ୍ତିକ ପରିଚାଳନା ସୁନିଶ୍ଚିତ କରିବାକୁ ଗୁରୁତ୍ଵ ଦେଇ ଅଦାଲତଙ୍କ ଆଦେଶ, ଆଇନଗତ ସମୟସୀମା କିମ୍ବା ଅଦାଲତ ଅବମାନନା ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଶେଷ ମୁହୂର୍ତ୍ତରେ ନପଠାଇ ଯଥେଷ୍ଟ ପୂର୍ବରୁ ବିଭାଗକୁ ପଠାଇବାକୁ କୁହାଯାଇଛି । ଏଥିରେ କୌଣସି ପ୍ରକାରର ବିଳମ୍ବକୁ ଗ୍ରହଣ କରାଯିବ ନାହିଁ ।
ଓଡ଼ିଶା ଉଚ୍ଚନ୍ୟାୟାଳୟରେ ରିଟ୍ ଅପିଲ୍ (Writ Appeal) କିମ୍ବା ସୁପ୍ରିମ୍ କୋର୍ଟରେ ଏସଏଲପି (SLP) ଦାଖଲ ପାଇଁ ଆଇନ ବିଭାଗର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଯେଉଁ ସବୁ କ୍ଷେତ୍ରରେ ସରକାରୀ ନିୟମ କିମ୍ବା ମାର୍ଗଦର୍ଶିକା ସ୍ପଷ୍ଟ ରହିଛି, ସେଠାରେ ଅନାବଶ୍ୟକ ଭାବେ ସ୍ପଷ୍ଟୀକରଣ ପାଇଁ ବିଳମ୍ବ ନ କରି ଜିଲ୍ଲା ସ୍ତରରେ ନିଜେ ବିଶ୍ଳେଷଣ କରି ବିଚାରପୂର୍ବକ ନିଷ୍ପତ୍ତି ନେବାକୁ କୁହାଯାଇଛି lସମସ୍ତ ଚିଠିପତ୍ର ବିଭାଗର ଅଫିସିଆଲ୍ ଇ-ମେଲ୍ (revsec.od@od.gov.in) ମାଧ୍ୟମରେ ପଠାଯିବା ସହ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଆବଶ୍ୟକ ନଥିପତ୍ର ଦାଖଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି l ଅସମ୍ପୂର୍ଣ୍ଣ କିମ୍ବା ବିଳମ୍ବରେ ପ୍ରସ୍ତାବ ପଠାଇବା ଯୋଗୁଁ ଯଦି କୌଣସି ଆଇନଗତ କିମ୍ବା ପ୍ରଶାସନିକ ସମସ୍ୟା ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ସ୍ତରରେ ପ୍ରସ୍ତାବଗୁଡ଼ିକର ଯାଞ୍ଚ ଓ ନିୟମିତ ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।










