କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଟିମାଝୋଲା ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ୩୨୬ ଉପରେ ଏକ ବାଇକ୍କୁ ସ୍କୋର୍ପିଓ ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଟିମାଝୋଲା ଗାଁର ମାଝୀ ହିକକା । ସୂଚନା ଅନୁସାରେ, ମାଝୀ ତାଙ୍କ ବାଇକ୍କୁ ରାସ୍ତା ପାର୍ଶ୍ୱରେ ସାଇଡ୍ କରି ଠିଆ ହୋଇ କଥାବାର୍ତ୍ତା କରୁଥିବା ସମୟରେ ଏକ ସ୍କୋର୍ପିଓ ଗାଡ଼ି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ଜାତୀୟ ରାଜପଥ ୩୨୬କୁ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ରାୟଗଡ଼ା ଓ କୋରାପୁଟକୁ ସଂଯୋଗ କରୁଥିବା ଏହି ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି । ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି । ରାସ୍ତା ଅବରୋଧ ହଟାଇବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏହା ସହ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।










