ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍କୁଲ ବନ୍ଧୁ ୮୧-ବର୍ଷୀୟ ଅସଗର ଅଲ୍ଲୀ ଭୋରା ମହାରାଷ୍ଟ୍ରର ମୀରା ଭାୟନ୍ଦରରେ ତାଙ୍କ ବିବାଦୀୟ ଜମି ଫେରି ପାଇଛନ୍ତି। ପୂର୍ବତନ ସହପାଠୀ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦଶନ୍ଧି ତଳ ବିବାଦରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ, ସେ ବିବାଦୀୟ ଜମିର ଦଖଲ ଛାଡି ଦେଇଛନ୍ତି, ଏଥିପାଇଁ ଦିଆଯାଇଥିବା ନିର୍ମାଣ ଅନୁମତି ଫେରାଇ ଦେଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ସମାଧାନ ପରେ ସେ ଭୋରାଙ୍କ ବିରୋଧରେ କରିଥିବା ପୁଲିସ ଅଭିଯୋଗ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।
ଗୁଜରାଟର ଭାଡନଗରର ବିଏନ ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ପାଠ ପଢ଼ୁଥିବା ଭୋରା ସେପ୍ଟେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ, ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟାଙ୍କ ସହ ଜଡିତ ବିଲ୍ଡରମାନେ ଭୟାନ୍ଦର ପୂର୍ବରେ ତାଙ୍କ ଜମିକୁ ଜବରଦଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ ଭୋରା ଦାବି କରିଥିଲେ ଯେ, ସେ ୧୯୮୯ ମସିହାରେ ଏକ ପଞ୍ଜିକୃତ ଚୁକ୍ତିନାମା ମାଧ୍ୟମରେ ଭୟାନ୍ଦର ପୂର୍ବର ନବଘରରେ ପ୍ରାୟ ୨୮୧୦ ବର୍ଗ ମିଟର ଜମି କିଣିଥିଲେ ଓ ଏହାକୁ କେବେ ବିକ୍ରି କିମ୍ବା ହସ୍ତାନ୍ତର କରିନଥିଲେ। ସେ ଅଭିଯୋଗ କରିଥିଲେ ଯେ, ୨୦୧୧ ମସିହାରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କ ଅଜାଣତରେ ସମ୍ପତ୍ତିକୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଥିଲା।










