ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟରେ ଦଳ ପକ୍ଷରୁ ଏକାଧିକ ମାରାଥନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି କ୍ରମରେ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ନବରଙ୍ଗପୁରରୁ ଦଳୀୟ ପଦଯାତ୍ରା ଆରମ୍ଭ ହେବ।
ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ବ୍ଲକ୍ ଘେରାଓ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପ୍ରତ୍ୟେକ କର୍ମୀଙ୍କୁ ସାମିଲ କରାଯିବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିରୀକ୍ଷଣ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ନୂଆ ପିଢ଼ି (Gen Z)ଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱରରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବ। ଆସନ୍ତା ଅକ୍ଟୋବର ମାସରେ ରାଜ୍ୟରେ ‘ଛାତ୍ର କି ଗୁଞ୍ଜ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବିଶାଳ ଆୟୋଜନରେ ପ୍ରାୟ ୨୦ ହଜାର ଯୁବପିଢ଼ି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏହି ବୃହତ୍ ଆନ୍ଦୋଳନ ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିବେ। ଏହାଛଡ଼ା ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶୀର୍ଷ ନେତୃତ୍ୱ ନେବେ।










