ବାଲେଶ୍ୱର: ବାଲେଶ୍ୱର ଭୋଗରାଇରୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ତଦନ୍ତ ଜୋରଦାର ହୋଇଛି । ଘଟଣାର ଗୁମର ଖୋଲିବା ପାଇଁ ଓଡ଼ିଶା STF ପଶ୍ଚିମବଙ୍ଗରେ ଛାନଭିନ୍ ଚଳାଇଛି । ଦୀଘାର ଏକ ଘରୋଇ ହୋଟେଲରୁ ଗତକାଲି ୩ ଜଣଙ୍କୁ ଉଠାଇ ନେଇ STF ପଚରାଉଚରା କରୁଥିବାବେଳେ ଆଜି ପୁଣି ହୋଟେଲ ମ୍ୟାନେଜରଙ୍କୁ ନେଇ ପଚରାଉଚରା କରାଯାଉଛି ।ସୂଚନା ଅନୁସାରେ, ଓରାଙ୍ଗଉଟାନ୍ଟି କିପରି ଏବଂ କେଉଁଠୁ ଭୋଗରାଇ ଅଞ୍ଚଳକୁ ଆସିଲା, ତାହାର ଖୋଳତାଡ଼ ଚାଲିଛି । ଏହି ଘଟଣାରେ ଦୀଘାର ଉକ୍ତ ହୋଟେଲର ଭୂମିକା ନେଇ ତଦନ୍ତକାରୀ ଟିମ୍ର ସନ୍ଦେହ ବଢ଼ିଛି ।ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କର ଏହି ଘଟଣାରେ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଉଭୟଙ୍କ ଘର ପଶ୍ଚିମବଙ୍ଗର ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ସମୟରେ ହୋଟେଲ ମାଲିକ ଓ ତାଙ୍କ ପୁଅ ଫେରାର ଥିବା ସୂଚନା ମିଳିଛି ।ଏପଟେ ହୋଟେଲ ମ୍ୟାନେଜରଙ୍କୁ ପଚରାଉଚରା କରି STF ଘଟଣା ସମ୍ପର୍କିତ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି । ଗତକାଲି ଅଟକ ଥିବା ୩ ଜଣଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଥିବା କୁହାଯାଉଛି ।










