ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀର ତାଣ୍ଡବ ଜାରି ରହିଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ପୁଣି ସତର୍କସୂଚନା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୩ ତାରିଖରେ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶା ସମେତ ଦେଶର ୨୫ଟି ରାଜ୍ୟରେ ମୁସଳଧାର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପ୍ରବଳ ପବନ ଓ ଆନ୍ଧି ବହିବା ନେଇ ଆଲର୍ଟ ଜାରି କରାଯାଇଛି ।ଏହି ପ୍ରବଳ ଆନ୍ଧି ଓ ବର୍ଷା ଯୋଗୁଁ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଲୋକଙ୍କ ସମସ୍ୟା ବୃଦ୍ଧି ପାଇପାରେ । ଏହି ରାଜ୍ୟଗୁଡ଼ିକର କେତେକ ସ୍ଥାନରେ ଫସଲ ନଷ୍ଟ ହେବା ସହ ଗଛପତ୍ର ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଛି । ଅନ୍ୟପଟେ, ପାହାଡ଼ିଆ ରାଜ୍ୟଗୁଡ଼ିକରେ ଭୂସ୍ଖଳନ ନେଇ ଚେତାବନୀ ଦିଆଯାଇଛି । ଏହା ସହିତ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ତାଣ୍ଡବ ରଚାଇପାରେ । ତେଣୁ ପାହାଡ଼ିଆ ଅଞ୍ଛଳକୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସମ୍ପର୍କିତ ସୂଚନା ନିଶ୍ଚିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
ସେପ୍ଟେମ୍ବର ୧୩ରେ ଦେଶର ଯେଉଁ ୨୫ଟି ରାଜ୍ୟରେ ପ୍ରବଳ ବର୍ଷା ଓ ସତର୍କସୂଚନା ଜାରି କରାଯାଇଛି, ସେଗୁଡ଼ିକ ହେଲା— ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର, କେରଳ, ତେଲେଙ୍ଗାନା ଏବଂ ତାମିଲନାଡୁ । ଏହି ସମୟରେ ପଶ୍ଚିମ ଭାରତରେ ମଧ୍ୟ ଲୋକଙ୍କ ଅସୁବିଧା ବଢ଼ିବାର ସମ୍ଭାବନା ରହିଛି ।










