ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି। କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି। ଶ୍ରୀ ସତ୍ୟବ୍ରତ ସାହୁ, ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ତ୍ୱରିତ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁଁ ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ଦେଖାଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା।
୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍ଗୁଡ଼ିକର ROR ରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା। ଫଳରେ ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧିକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆର୍ଥିକ ଓ ମାନସିକ ଅସୁବିଧା ଭୋଗିଥିଲେ।
ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ମାନ୍ୟବର ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ କେ-୭ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଏକତ୍ର ଶୁଣାଣିକୁ ପ୍ରାଥମିକତା ଦିଆଯାଇଥିଲା। ମାମଲାଗୁଡ଼ିକର ମିଳିତ କ୍ଷେତ୍ର ତଦନ୍ତ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା।
ଏହି ଦଳ ପ୍ରାଥମିକତା ଭିତ୍ତିରେ ସରଜମିନ ତଦନ୍ତ କରି ଆବଣ୍ଟନ ଅନୁଯାୟୀ ପ୍ରକୃତ ଜମିର ପରିମାଣ ଚିହ୍ନଟ କରିଥିଲେ। ରେକର୍ଡରେ ଥିବା ଜମି ପରିମାଣ ଓ ପ୍ରକୃତ ଜମିର ଅବସ୍ଥିତି ମଧ୍ୟରେ ଥିବା ଅସଙ୍ଗତି ଯାଞ୍ଚ କରାଯାଇ ବିସ୍ତୃତ ରିପୋର୍ଟ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ନିକଟରେ ଦାଖଲ କରାଯାଇଥିଲା।
ଏହି ମିଳିତ ତଦନ୍ତ ରିପୋର୍ଟ ଓ ସମ୍ପୃକ୍ତ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଫଇସଲା କରିଛନ୍ତି।
ଚୂଡ଼ାନ୍ତ ନିର୍ଦ୍ଦେଶରେ ଭୁବନେଶ୍ୱର ତହସିଲଦାରଙ୍କୁ ଆବଣ୍ଟନ ଅନୁଯାୟୀ ସମ୍ପୃକ୍ତ ଜମିର ଏରିଆ ଓ ନାମରେ ଆବଶ୍ୟକୀୟ ସଂଶୋଧନ କରି ଦୁଇ ମାସ ମଧ୍ୟରେ ହିତାଧିକାରୀମାନଙ୍କ ନାମରେ ହାଲ୍ ROR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିଷ୍ପତ୍ତି କେ-୭ ଅଞ୍ଚଳର ହିତାଧିକାରୀମାନଙ୍କ ପାଇଁ କେବଳ ଏକ ରାୟ ନୁହେଁ, ବରଂ ୩୫ ବର୍ଷର ଅପେକ୍ଷା, ଅସୁବିଧା, ଦୌଡ଼ାଦୌଡ଼ି ଓ ମାନସିକ ଯନ୍ତ୍ରଣାର ଅନ୍ତର ଏକ ଐତିହାସିକ ପଦକ୍ଷେପ। ଏହା ଫଳରେ ଆବଣ୍ଟିତ ପ୍ଲଟ୍ଧାରୀମାନେ ନିଜ ନାମରେ ROR ପାଇବା ସହ ଆବଣ୍ଟନ ପରବର୍ତ୍ତୀ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇବାରେ ଆଉ ପୂର୍ବଭଳି ବାଧା ସମ୍ମୁଖୀନ ହେବେ ନାହିଁ।
ଲୋକଙ୍କ ଜମି ସମ୍ପର୍କିତ ୩୫ ବର୍ଷର ସମସ୍ୟାକୁ ପ୍ରାଥମିକତା ଦେଇ ଏତେ ସଂଖ୍ୟକ ମାମଲାର ତ୍ୱରିତ ଫଇସଲା ଓ ରେକର୍ଡ ସଂଶୋଧନ ପାଇଁ ସମୟସୀମା ଧାର୍ଯ୍ୟ କରାଯିବା ରାଜସ୍ୱ ପ୍ରଶାସନରେ ଏକ ନୂଆ ଦିଗ ଖୋଲିଛି। ଏହାକୁ ଲୋକାଭିମୁଖୀ ଓ ନାଗରିକ-କେନ୍ଦ୍ରିତ ପ୍ରଶାସନର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଯଏହି ପଦକ୍ଷେପ ପରେ କେ-୮ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧିକାରୀମାନଙ୍କ ସମାନ ଜମି ରେକର୍ଡ ସମସ୍ୟାର ସମାଧାନ ଦିଗରେ ମଧ୍ୟ ବିଡିଏ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଫଳରେ କେ-୭ ପରେ କେ-୮କୁ ନେଇ ମଧ୍ୟ ହିତାଧିକାରୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।










