33.1 C
Bhubaneswar
Saturday, September 5, 2026
Homeଦେଶ ବିଦେଶଶିକ୍ଷକଙ୍କ ଦାୟିତ୍ୱ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବେ ଗଢ଼ିବା: ରାଷ୍ଟ୍ରପତି

ଶିକ୍ଷକଙ୍କ ଦାୟିତ୍ୱ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବେ ଗଢ଼ିବା: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶିକ୍ଷକ ଦିବସର ପୂର୍ବସନ୍ଧ୍ୟାରେ ଶୁକ୍ରବାର ଦେଶର ସମସ୍ତ ଶିକ୍ଷକଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷିତ କରିବା ନୁହେଁ, ବରଂ ସେମାନଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକଙ୍କ ମାର୍ଗଦର୍ଶନ, ପରାମର୍ଶ ଓ ମେଣ୍ଟରିଂ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ହେବା ସହ ସେମାନଙ୍କ ଚରିତ୍ର ଗଠନ ମଧ୍ୟ ହୋଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଜଣେ ଉତ୍ସର୍ଗୀକୃତ ଓ ଯତ୍ନଶୀଳ ଶିକ୍ଷକ ପ୍ରତ୍ୟେକ ଛାତ୍ରଙ୍କ ଅନନ୍ୟ ପ୍ରତିଭା ଓ ସାମର୍ଥ୍ୟକୁ ଚିହ୍ନଟ କରିପାରନ୍ତି। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ସେମାନଙ୍କୁ ଉତ୍କର୍ଷ ହାସଲ କରିବା ଦିଗରେ ନିରନ୍ତର ପ୍ରୟାସ କରିବାକୁ ଉତ୍ସାହିତ କରନ୍ତି। ଏଥିସହ ଶିକ୍ଷକମାନେ ସମୟ ସହ ନିଜ ଜ୍ଞାନକୁ ନିରନ୍ତର ଅପଡେଟ୍‌ କରିବା, ନୂଆ ପ୍ରଯୁକ୍ତିକୁ ଆପଣାଇବା ଏବଂ ଅଭିନବ ଶିକ୍ଷା ପଦ୍ଧତିର ପ୍ରୟୋଗ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନ ଚିନ୍ତାଧାରା ବିକଶିତ କରିବା ସହ ସେମାନଙ୍କ ମନରେ ପ୍ରଶ୍ନ କରିବା ଓ ଜାଣିବାର ଆଗ୍ରହ ସୃଷ୍ଟି କରିବା ଉପରେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଏଭଳି ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ମହାନ ଲେଖକ, ଦାର୍ଶନିକ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରି ପ୍ରତିବର୍ଷ ଶିକ୍ଷକ ଦିବସ ପାଳନ କରାଯାଏ। ତାଙ୍କୁ ଜଣେ ଅସାଧାରଣ ଶିକ୍ଷକ ଭାବେ ସ୍ମରଣ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ଶିକ୍ଷକ ଦିବସ ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ସମସ୍ତ ଉତ୍ସର୍ଗୀକୃତ ଶିକ୍ଷକଙ୍କ ଅବଦାନ ପାଇଁ ମୁଁ କୃତଜ୍ଞ। ମୋର ଆଶା, ସମସ୍ତ ଶିକ୍ଷକ ଏପରି ଜ୍ଞାନୀ, ସଚେତନ ଓ ମୂଲ୍ୟବୋଧସମ୍ପନ୍ନ ପିଢ଼ି ଗଢ଼ିବେ, ଯେଉଁମାନେ ଦେଶକୁ ଆହୁରି ଉଚ୍ଚତାକୁ ନେଇଯିବେ ବୋଲି ସେ କହିଛନ୍ତି।” କାହିଁକି ପାଳନ କରାଯାଏ ଗୁରୁ ଦିବସ: ବାସ୍ତବରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କର ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ସେ କହିଥିଲେ ଯେ, ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଗଲେ ମୁଁ ଖୁସି ହେବି । ସେହିଦିନଠୁ ସେପ୍ଟେମ୍ବର ୫କୁ ଗୁରୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ । ରାଧାକ୍ରିଷ୍ଣନ ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking