ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସପ୍ତାହାନ୍ତରେ ଭାରତ ଆସିବେ । ଦୀର୍ଘ ଦିନର କୂଟନୈତିକ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହି ଗସ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ।୨୦୨୦ ଗଲୱାନ ଘାଟି ବିବାଦ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ରହିଥିଲା । ଦୀର୍ଘ ୭ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି । ଏହା ପୂର୍ବରୁ ୨୦୧୯ ମସିହାରେ ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସେ ଶେଷଥର ଭାରତ ଆସିଥିଲେ ।
ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୧୨ ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ – ୧୩ ଆୟୋଜିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି ।










