ଟାଙ୍ଗୀ: ଚିଲିକାକୁ ଘେରିମୟ କରି ଜବରଦସ୍ତ କବଜା କରିଥିଲେ ମାଫିଆ । ଏବେ ଚିଲିକାରେ ମାଫିଆଙ୍କ ରାଜୁତି ଉପରେ ଯବନିକା ପକାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଘେରିମୁକ୍ତ ଚିଲିକା । ଚିଲିକା ମଧ୍ୟରେ ଥିବା ବେଆଇନ ଘେରିକୁ ଉଚ୍ଛେଦ କରିବା ପାଇଁ ପୁରୀ ଜିଲ୍ଲାପାଳ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧିନ ଚିଲିକାରୁ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।
ତହସିଲ ପ୍ରଶାସନର ମିଳିତ ଟିମ୍ କୃଷ୍ଣପ୍ରସାଦ ରାଜସ୍ୱ ସର୍କଲ ଅନ୍ତର୍ଗତ ବାହାର ଚିଲିକାରେ ଚଢ଼ାଉ କରି ପ୍ରାୟ ୬୦୦ ଏକର ପରିମିତ ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ଅସାଧୁ ମାଫିଆମାନେ ନଦୀ ଓ ହ୍ରଦର ଜଳରାଶିକୁ ଜାଲ, ବାଉଁଶ ଓ କିଳା ସାହାଯ୍ୟରେ ଘେରାଇ ବେଆଇନ ବ୍ୟବସାୟ ଚଳାଉଥିଲେ। ଘେରୀ ଭାଙ୍ଗିବା ସହ ସେଠାରୁ ଜବତ ସମସ୍ତ ବାଉଁଶ ଓ ଜାଲକୁ ଘଟଣାସ୍ଥଳରେ ନିଆଁ ଲଗାଇ ନଷ୍ଟ କରିଦିଆଯାଇଛି।ଏହି ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ବାହିନୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ। ଆଗାମୀ ଦିନରେ ମଧ୍ୟ ଚିଲିକାକୁ ସମ୍ପୂର୍ଣ୍ଣ ଘେରୀମୁକ୍ତ ନକରିବା ଯାଏଁ ଏହି ଅଭିଯାନ ଜାରି ରହିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି।










