34.1 C
Bhubaneswar
Tuesday, September 8, 2026
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା

କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କରିଥିବା ଟିପ୍ପଣୀ ସମ୍ପର୍କିତ ମାନହାନି ମାମଲାରେ ତାଙ୍କ ବିରୋଧରେ ଜାରି ହୋଇଥିବା ସମନ୍‌କୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟ ମନା କରିଦେଇଛନ୍ତି । ମାମଲାଟି ୨୦୧୮ ମସିହାର ଏକ ରାଜସ୍ଥାନ ନିର୍ବାଚନୀ ସଭା ସହ ଜଡ଼ିତ । ରାଫେଲ ଯୁଦ୍ଧବିମାନ କ୍ରୟ ଚୁକ୍ତିକୁ ନେଇ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ‘ଚୌକିଦାର ଚୋର ହୈ’ ଏବଂ ‘କମାଣ୍ଡର-ଇନ୍-ଥିଫ୍’ ଭଳି ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ ବିଜେପି ନେତା ମହେଶ ଶ୍ରୀଶ୍ରୀମାଲ ମାନହାନି ଅଭିଯୋଗ ଆଣିଥିଲେ ।

ଏହି ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍ କୋର୍ଟ ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ସମନ୍ ଜାରି କରିଥିଲେ । ଏହି ସମନ୍ ଏବଂ ମାମଲାର ପରବର୍ତ୍ତୀ ଶୁଣାଣିକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ରାହୁଲଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ତାଙ୍କ ବୟାନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନାଁ ନିଆଯାଇନଥିଲା । ତେଣୁ ଅଭିଯୋଗକାରୀଙ୍କର ଏହି ମାମଲାର କୌଣସି ଆଇନଗତ ଅଧିକାର ନାହିଁ ବୋଲି ରାହୁଲଙ୍କ ଓକିଲ ଯୁକ୍ତି କରିଥିଲେ । ତେବେ ଜଷ୍ଟିସ୍ ନିତିନ ବୋରକରଙ୍କ ଏକକ ଖଣ୍ଡପୀଠ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ କୌଣସି ସ୍ପଷ୍ଟ ତ୍ରୁଟି କିମ୍ବା ବେଆଇନ କାର୍ଯ୍ୟ ନଥିବା ଦର୍ଶାଇ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ମାନହାନି ମାମଲା ଆଗକୁ ଜାରି ରହିବ । ତେବେ ରାହୁଲଙ୍କ ଅନୁରୋଧରେ ହାଇକୋର୍ଟ ଏହି ଆଦେଶ ଉପରେ ୬ ସପ୍ତାହ ପାଇଁ ସ୍ଥଗିତାଦେଶ ଦେଇଛନ୍ତି । ଏହି ରାୟ ପରେ ରାଫେଲ ଚୁକ୍ତିକୁ ନେଇ ବର୍ଷ ପୁରୁଣା ରାଜନୈତିକ ବିବାଦ ପୁଣିଥରେ ଚର୍ଚ୍ଚାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking