32.1 C
Bhubaneswar
Tuesday, September 8, 2026
Homeଓଡିଶାଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ସରକାର

ଓଡ଼ିଶାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ‘ସୁରକ୍ଷା ସେତୁ’ ମାର୍ଗଦର୍ଶିକା ଉନ୍ମୋଚିତ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ “ସୁରକ୍ଷା ସେତୁ: ଇଣ୍ଡଷ୍ଟ୍ରିଆଲ୍ ସେଫ୍ଟି ଆଣ୍ଡ୍ ରିସ୍କ୍ ମ୍ୟାନେଜମେଣ୍ଟ ମାନୁଆଲ୍‌” ଉନ୍ମୋଚିତ ହୋଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ମାର୍ଗଦର୍ଶିକାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ, “ସୁରକ୍ଷା ସମ୍ପର୍କିତ ଜ୍ଞାନ ଓ ସଚେତନତାର ବ୍ୟାପକ ପ୍ରସାର ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ, ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଅସୁରକ୍ଷିତ କାର୍ଯ୍ୟ ଓ ପରିସ୍ଥିତିଗୁଡ଼ିକୁ ଦୂର କରିପାରିବେ ବୋଲି ମୋର ବିଶ୍ୱାସ। ରାଜ୍ୟରେ ଶୂନ୍ୟ ଶିଳ୍ପ ଦୁର୍ଘଟଣା ଲକ୍ଷ୍ୟ ହାସଲ କରିବାରେ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଭାଗିତା ଗୁରୁତ୍ୱପୂର୍ଣ୍ଣ ହେବ। ରାଜ୍ୟର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଏହି ମାର୍ଗଦର୍ଶିକାରୁ ନିଶ୍ଚିତ ଭାବେ ଲାଭାନ୍ୱିତ ହେବା ସହ ଏଥିରେ ଉଲ୍ଲେଖିତ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରି ନିଜ କାର୍ଯ୍ୟସ୍ଥଳର ସୁରକ୍ଷାରେ ଉନ୍ନତି ଆଣିବେ ବୋଲି ମୁଁ ଆଶା କରୁଛି।”

ଶିଳ୍ପ କାର୍ଯ୍ୟରେ ନିୟୋଜିତ ଶ୍ରମିକ, ପର୍ଯ୍ୟବେକ୍ଷକ, ସୁରକ୍ଷା ବିଶେଷଜ୍ଞ, ପରିଚାଳକ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ପାଇଁ ଏହି ପ୍ରକାଶନକୁ ଏକ ବ୍ୟବହାରିକ, ସରଳ ଓ ସହଜବୋଧ୍ୟ ସନ୍ଦର୍ଭ ମାର୍ଗଦର୍ଶିକା ଭାବେ ପ୍ରସ୍ତୁତ କରାଯାଇଛି। କାର୍ଯ୍ୟସ୍ଥଳର ସୁରକ୍ଷା ଓ ବିପଦ ପରିଚାଳନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ଏଥିରେ ସହଜରେ ଉପଲବ୍ଧ ମାର୍ଗଦର୍ଶନ ପ୍ରଦାନ କରାଯାଇଛି। ‘ସୁରକ୍ଷା ସେତୁ’ ମାର୍ଗଦର୍ଶିକାରେ କାର୍ଯ୍ୟସ୍ଥଳ ସୁରକ୍ଷା, ବିପଦ ଚିହ୍ନଟ, ବିପଦ ଆକଳନ, ସୁରକ୍ଷିତ କାର୍ଯ୍ୟପଦ୍ଧତି, ଦୁର୍ଘଟଣା ନିବାରଣ ଏବଂ ଜରୁରିକାଳୀନ ପ୍ରସ୍ତୁତି ସମ୍ପର୍କିତ ପ୍ରମୁଖ ନୀତି ଓ ପ୍ରଚଳିତ ପଦ୍ଧତିଗୁଡ଼ିକୁ ସରଳ ଏବଂ ସହଜବୋଧ୍ୟ ଭାବେ ସ୍ଥାନିତ କରାଯାଇଛି। ଏହି ମାର୍ଗଦର୍ଶିକା ଶ୍ରମିକ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ସୁରକ୍ଷା ସଚେତନତା ବୃଦ୍ଧି ଏବଂ ସୁରକ୍ଷିତ କାର୍ଯ୍ୟପଦ୍ଧତିର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ରାଜ୍ୟବ୍ୟାପୀ ଅଧିକ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟସ୍ଥଳ ସୁନିଶ୍ଚିତ କରିବାର ବୃହତ୍ତର ଲକ୍ଷ୍ୟ ନେଇ ଏହା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷାଭିତ୍ତିକ ସଂସ୍କୃତିର ବିକାଶ ଓ ସୁଦୃଢ଼ୀକରଣରେ ମଧ୍ୟ ସହାୟକ ହେବ। ଉନ୍ମୋଚନ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡୋଡ୍ଡା ଭେଙ୍କଟ ସ୍ୱାମୀ, ଶ୍ରମ ଆୟୁକ୍ତ, ଓଡ଼ିଶା ତଥା କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଉପନିର୍ଦ୍ଦେଶକ (ସୁରକ୍ଷା) ଶ୍ରୀ ମଳୟ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ରାଜ୍ୟରେ ଶ୍ରମିକଙ୍କ ସୁରକ୍ଷା, ଶିଳ୍ପ ଦୁର୍ଘଟଣା ନିବାରଣ ଏବଂ ଏକ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟ ପରିବେଶର ପ୍ରସାର ପାଇଁ ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking