ଭୁବନେଶ୍ୱର: ରାସ୍ତା, ସେତୁ ଓ କୋଠାବାଡ଼ି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନୁମୋଦନ ପାଇଛି । ଆଗାମୀ ଦିନରେ ଆହୁରି ଅଧିକ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାସ୍ତା ପ୍ରକଳ୍ପର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରଘୁନାଥପୁର-ତ୍ରିଶୁଳିଆ ଏଲିଭେଟେଡ୍ କରିଡର ରାସ୍ତା ନିର୍ମାଣ ସହ ଷ୍ଟୁଡିଓ ଛକ-ନୂଆଗାଁକୁ ମଧ୍ୟ ଏଲିଭେଟେଡ୍ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ପିପିଲି-କୋଣାର୍କ ରାସ୍ତା ନିର୍ମାଣ, ଦୟା ୱେଷ୍ଟର ପ୍ରଥମ ଏବଂ ତୃତୀୟ ଫେଜ୍ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା ।
ବୈଠକରେ ଭୁବନେଶ୍ୱର ଇନର୍ ରିଂ ରୋଡ୍ ସହ ଆଉଟର ରିଂ ରୋଡ୍ର ନୂଆ ଆଲାଇନ୍ମେଣ୍ଟ, କଳ୍ପନା ଛକ ଫ୍ଲାଏଓଭର ନିର୍ମାଣ ଏବଂ ପୁରୀକୁ ଯାତାୟତ ସୁବିଧା ନେଇ ନୂଆ ଏଲିଭେଟେଡ୍ ରାସ୍ତା ନିର୍ମାଣ ପ୍ରକ୍ରିୟାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଏହିସବୁ ରାସ୍ତା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଥିବା ପ୍ରତିବନ୍ଧକକୁ ଦୂର କରିବା, ଜମି ଅଧିଗ୍ରହଣ ଏବଂ ଡିପିଆର୍ ପ୍ରସ୍ତୁତି ନେଇ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଇଂ ଶିବବ୍ରତ ତରିଆ, ଓବିସିସିର ମୁଖ୍ୟ ପରିଚାଳକ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।










