ଯାଜପୁର: ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ । ଯାଜପୁର କଳିଙ୍ଗନଗର ଥାନା ଅଞ୍ଚଳର ମହିଳାଙ୍କୁ ଚଣ୍ଡିଖୋଲପେ ଦୁଷ୍କର୍ମ । ଏଭଳି ଏକ ଚାଞ୍ଚଲ୍ୟକର ଖବର ପୁଣିଥରେ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୁଲିସ । ସୂଚନା ଅନୁଯାୟୀ ଗତ ୧ ତାରିଖରେ ସ୍ୱାମୀଙ୍କ ଦେହ ଖରାପ ଓ ସେ ଚଣ୍ଡିଖୋଲରେ ଅଛନ୍ତି କହି କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଡାକିଥିଲେ ଅଭିଯୁକ୍ତ ।
ମହିଳା ଜଣକ ବ୍ୟସ୍ତ ହୋଇ ବସ ଯୋଗେ ଚଣ୍ଡିଖୋଲରେ ପହଞ୍ଚିଥିଲେ । ଅଭିଯୁକ୍ତ ବଡ଼ଚଣା ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ଜେନାପୁର ଥାନା ଅଞ୍ଚଳର ଛବିନ୍ଦ୍ର ତରାଇ। ଉଭୟ ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ । ପୀଡିତ ମହିଳାଙ୍କୁ ସ୍ୱାମୀଙ୍କ ପାଖକୁ ନେବାକୁ କହି ଏକ ମଟରସାଇକେଲ ଯୋଗେ ଚଣ୍ଡିଖୋଲ ନିକଟରେ ଥିବା ଏକ ପରିତ୍ୟକ୍ତ ବଙ୍ଗଳାକୁ ନେଇ ସେଠାରେ ଅଭିଯୁକ୍ତମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରଦିନ ଅର୍ଥାତ ୨ ତାରିଖରେ ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଡାକି ଘରକୁ ଆସିବାପରେ ପ୍ରଥମେ ସୁକିନ୍ଦା ମେଡିକାଲରେ ଚିକିତ୍ସିତ ହୋଇଥିଲେ। ପରେ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାଜପୁର ଏସ.ପିଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ପୁଲିସ ଚଣ୍ଡିଖୋଲ ଅଞ୍ଚଳରେ ଚଢ଼ାଉ କରିଥିଲା । ପରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ୨ ଅଭିଯୁକ୍ତ ତଦନ୍ତ ସମୟରେ ସ୍ୱୀକାର କରିଥିବାବେଳେ ସେମାନଙ୍କୁ ଡାକ୍ତରୀ ମାଇନା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ବାଇକ୍ ଓ ମୋବାଇଲକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।










