ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ନିର୍ଭୟା କାଣ୍ଡର ରିପିଟ୍ । ସ୍ଲିପର୍ ବସ୍ ରେ ୧୬ ବର୍ଷୀୟା ଛାତ୍ରୀଙ୍କୁ ୪୭ କିମି ଯାଏଁ ଗଣଦୁଷ୍କର୍ମ । ଗ୍ରେଟର ନୋଏଡାରୁ ଦିଲ୍ଲୀର କାଶ୍ମୀର ଗେଟ୍ ପର୍ଯ୍ୟନ୍ତ ଯାତାୟାତ କରୁଥିବା ଏକ ସ୍ଲିପର ବସ୍ ରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ଡ୍ରାଇଭର ଓ କଣ୍ଡକ୍ଟର ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ବସ୍ କୁ ଜବତ କରି ତଦନ୍ତ ଚଳାଇଛି । ଅଗଷ୍ଟ ୪ ତାରିଖର ଏହି ଘଟଣା ଏବେ ସାରା ଦେଶରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଥାଉକି, ମୈନପୁରୀ ଜିଲ୍ଲାର ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଅଗଷ୍ଟ ୩ ତାରିଖ ଦିନ ଘରୁ ରାଗି ବାହାରି ଯାଇଥିଲେ ।
ସେ ନୋଏଡା ସେକ୍ଟର-୬୩ରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ଏକ ସ୍ଲିପର ବସ୍ ରେ ଯାଉଥିଲେ । କେହି ନଥିବାର ସୁଯୋଗ ନେଇ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟର ନାବାଳିକାଙ୍କ ସହ ଦୀର୍ଘ ୪୭ କିମି ଯାଏଁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ କାଶ୍ମୀର ଗେଟ୍ ପୁଲିସ ଗୁରୁତ୍ଵର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଦୁଷ୍କର୍ମ ହୋଇଥିବା ବସ୍ କୁ ଜବତ କରିବା ସହ ଡ୍ରାଇଭର୍ ଓ କଣ୍ଡକ୍ଟରକୁ ଗିରଫ କରିଥିଲା । ୨୦୧୨ ଡିସେମ୍ବର ୧୬ ରେ, ଦିଲ୍ଲୀର ବସନ୍ତ ବିହାରରେ ଏକ ଚଳନ୍ତା ବସ୍ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ପରେ ବସ୍ ରୁ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାକୁ ସାତ ବର୍ଷ ତିନି ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଥିଲା। ନିର୍ଭୟାଙ୍କ ୬ ଅଭିଯୁକ୍ତଙ୍କ ମଧ୍ୟରୁ ରାମସିଂହ ନାମକ ଜଣେ ଅଭିଯୁକ୍ତ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ଜଣେ ନାବାଳକଙ୍କୁ ବାଲ ସୁଧାର ଗୃହକୁ ପଠାଯାଇଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ୨୦୨୦ ମାର୍ଚ୍ଚ ୨୦ରେ ଫାଶୀ ଦଣ୍ଡ ଦିଆଯାଇଥିଲା ।










