27.1 C
Bhubaneswar
Tuesday, September 1, 2026
Homeଓଡିଶାରାହୁଲ ଗାନ୍ଧୀଙ୍କ ନାମରେ ଏତଲା ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସର ବିକ୍ଷୋଭ ମନୁସ୍ମୁତି ବିରୁଦ୍ଧରେ ନାରା

ରାହୁଲ ଗାନ୍ଧୀଙ୍କ ନାମରେ ଏତଲା ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସର ବିକ୍ଷୋଭ ମନୁସ୍ମୁତି ବିରୁଦ୍ଧରେ ନାରା

ଭୁବନେଶ୍ୱର: ଉତ୍ତରାଖଣ୍ଡର ବିଜେପି ନେତା ଓ କର୍ମୀ ଏବଂ ଏକ ଗୈରିକ ସଂଗଠନ ପକ୍ଷରୁ ଲୋକସଭାର ବିରୋଧିଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନାମରେ ଦେଇଥିବା ଏତଲା ପ୍ରତିବାଦରେ ଆଜି ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ମହିଳା କଂଗ୍ରେସ କର୍ମୀମାନେ ଏକ ରାଲିରେ ଆସି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମୀତ ଶାହାଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏଥିସହ ମନସ୍ମୃତି ଫଟୋ ଥିବା ବ୍ୟାନରରେ ଛକି ଚିହ୍ନ ଦେଇ ପ୍ରଦର୍ଶନ କରାଯାଇଥିଲା । ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ ଆମ୍ବେଦକରଙ୍କ ଦ୍ୱାରା ପ୍ରଣିତ ସମ୍ବିଧାନକୁ ସମ୍ମାନ କରୁ ଏବଂ ସମ୍ବିଧାନରେ ନିର୍ଦ୍ଦେଶିତ ପଥକୁ ଅନୁସରଣ କରୁ । ମନସ୍ମୃତି ମଣିଷ ଭିତରେ ଉଚ୍ଚନିଚ୍ଚ ଭେଦଭାବକୁ ଜାହିର କରିଥାଏ । ଆଜିର ଦିନରେ ମନସ୍ମୃତି ଗ୍ରହଣୀୟ ହୋଇନାହିଁ । ଉତ୍ତରାଖଣ୍ଡର ହଲଦ୍ୱାନୀସ୍ଥିତ ରାମଲିଳା ମଇଦାନରେ ଏକ ସଭାକୁ ଅଗଷ୍ଟ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ସମ୍ବୋଧିତ କରିଥିଲେ । ଅଗଷ୍ଟ ୧୧ ତାରିଖ ଦିନ ଭାରତୀୟ ଜନତାପାର୍ଟିର ପ୍ରରୋଚନାରେ ଏକ ଗୈରିକ ସଂଗଠନ ରାମଲୀଳା ମଇଦାନ ସଭାସ୍ଥଳରେ ଗଙ୍ଗାଜଳ ଓ ଗୋମୂତ୍ର ଛିଞ୍ôଚ ଏବଂ ହୋମ କରି ଶୁଧିକରଣ କରିଥିଲେ । କାରଣ ଖର୍ଗେ ଜଣେ ଦଳିତ ବର୍ଗର ଲୋକ । ବିଜେପି ଏହାର ସହଯୋଗୀ ଗୈରିକ ସଂଗଠନ ଦଳିତଙ୍କୁ ଘୃଣା କରନ୍ତି ।

ଅଗଷ୍ଟ ୨୯ ତାରିଖ ଦିନ ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଦୃଢ଼ ନିନ୍ଦା କରିଥିଲେ । ସେ କହିଥିଲେ ଏତଦ୍‌ଦ୍ୱାରା ଅସ୍ପୃଶ୍ୟତାକୁ ଉତ୍ସାହିତ କରାଯିବା ସହ ଯେଉଁ ବିଜେପି କର୍ମୀ ଓ ତାଙ୍କ ସହଯୋଗୀ ସଂଗଠନର କର୍ମୀମାନେ ଏହି ‘ଶୁଦ୍ଧିକରଣ’ କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରଦ୍ଧରେ ଏତଲା ଦରଜ କରାଯାଉ । ମାତ୍ର ଉତ୍ତରାଖଣ୍ଡର ପୁଲିସ ରାହୁଲ ଗାନ୍ଧୀଙ୍କ ଦାବିକୁ ଗ୍ରହଣ କରିବା ବଦଳରେ ଓଲଟା ରାହୁଲ ଗାନ୍ଧୀଙ୍କ ନାମରେ ଏତଲା ଦରଜ କରିଛନ୍ତି । ମଲ୍ଲିକାର୍ଜୁନ ଖର୍ଗେ କେବଳ କଂଗ୍ରେସ ସଭାପତି ନୁହଁନ୍ତି ସେ ରାଜ୍ୟ ସଭାରେ ବିରୋଧିଦଳର ନେତା ମଧ୍ୟ । ଯଦି ସଂସଦର ରାଜ୍ୟସଭା ବିରୋଧିଦଳର ନେତା ଜଣେ ଦଳିତ ବର୍ଗର ହୋଇଥିବାରୁ ବିଜେପି ଚକ୍ରାନ୍ତ କରି ତାଙ୍କୁ ଏଭଳି ଅପମାନିତ କରେ ତେବେ ଏ ଦେଶରେ ମନୁବାଦୀଙ୍କ ପ୍ରଭାବ ତଳେ ଦଳିତ ଲୋକମାନଙ୍କର ଅବସ୍ଥା କଣ ହେଉଥିବ । ସୁତରାଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ନିସ୍କ୍ରିୟ ରହିବା ଦୁଃଖଦାୟକ ।

ଅନ୍ୟ ପକ୍ଷରେ ରାହୁଲ ଗାନ୍ଧୀ ମନୁସ୍ମୃତିକୁ ମହିଳା ବିରୋଧି କହିବା ଯଥାର୍ଥ । ମନସ୍ମୃତିରେ ମହିଳାଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାହାକୁ ଆଜିର ସମାଜ ଗ୍ରହଣ କରିପାରିବ ନାହିଁ । ମହିଳାମାନେ ଆଉ ଅବଳା ବା ଦୁର୍ବଳା ନୁହଁନ୍ତି । ସେମାନଙ୍କୁ ସ୍ୱୟଂ ସଂପୂର୍ଣ୍ଣ ହେବା ପାଇଁ ସମ୍ବିଧାନ ଅଧିକାର ଦେଇଛି । ନିଜର ସାମର୍ଥ୍ୟ ବଳରେ ଆଜି ହଜାର ହଜାର ମହିଳା ଆଇଏଏସ, ଆଇପିଏସ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ରାଜ୍ୟମୁଖ୍ୟମନ୍ତ୍ରୀ, ଦେଶର ପ୍ରଧାନମନ୍ତ୍ରୀ, ଦେଶର ରାଷ୍ଟ୍ରପତି, ବୌଜ୍ଞାନିକ ହୋଇପାରିଛନ୍ତି । ମନସ୍ମୃତି ମହିଳାଙ୍କ ଦ୍ୱାରା ଗ୍ରହଣୀୟ ନୁହେଁ, ଭାରତର ସମ୍ବିଧାନ ମହିଳାମାନଙ୍କ ପାଇଁ ଅନୁସରଣୀୟ । ସୁତରାଂ ମନସ୍ମୃତିରେ ମହିଳାଙ୍କୁ ସମାଜ ଆଗରେ ଯେଭଳି ଅବମୂୁଲ୍ୟାୟନ କରାଯାଇଛି ତାହାକୁ ରାହୁଲ ଗାନ୍ଧୀ ବିରୋଧ କରିଛନ୍ତି । ଦେଶର ସମସ୍ତ ନାରୀଙ୍କ ନିକଟରେ ମନସ୍ମୃତି ଏକ ଅନାବଶ୍ୟକ ବା ଗ୍ରହଣ ଅଯୋଗ୍ୟ ପୁସ୍ତକ । ଆଜିର ଯୁଗରେ ଏହାକୁ ବିଜେପି ଆରଏସ୍‌ଏସ୍ ଏବଂ ଗୈରିକ ସଂଗଠନମାନେ ପ୍ରଶଂସା କରିବା ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ଦୃଢ଼ ସମର୍ଥନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସୁନୀତା ବିଶ୍ୱାଳ, ଅମୀଶା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ଜୟସ୍ମିତା ମହାନ୍ତି, ଜବାମଣି ଟୁଡୁ, ସିଲି ସେଠୀ, କଳ୍ପନା ଆପଟ, ଦିପ୍ତୀରାଣୀ ପ୍ରଧାନ, ମାଳତୀ ନାୟକ, ପ୍ରମିଳା ସାହୁ, ସୁନିତା ନାୟକ ଓ କାମିନୀ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking