ବାରିପଦା: ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ବ୍ଲକରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି।ଛୁଟି ଘୋଷଣା ହୋଇଥିବା ବ୍ଲକଗୁଡ଼ିକ ହେଲା ସାରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଓ ବେତନଟୀ। ଏହି ବ୍ଲକଗୁଡ଼ିକର ସମସ୍ତ ସ୍କୁଲ୍ରେ ପାଠପଢ଼ା ବନ୍ଦ ରହିବ।ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ସ୍କୁଲ୍ ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ନହେବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ଭାବେ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।










