ନୂଆଦିଲ୍ଲୀ : ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ରାଜନୈତିକ ଦଳଗୁଡ଼ିକ ପାଉଥିବା ନଗଦ ଚାନ୍ଦା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ଏକ ଆବେଦନର ଶୁଣାଣି କରିବେ । ଆବେଦନଟି ଆୟକର ଆଇନରେ ରାଜନୈତିକ ଦଳଗୁଡ଼ିକୁ ୨ ହଜାର ଟଙ୍କାରୁ କମ୍ ମୂଲ୍ୟର ବେନାମୀ ନଗଦ ଚାନ୍ଦା ଗ୍ରହଣ କରିବାକୁ ଅନୁମତି ଦେଉଥିବା ଏକ ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ କରୁଛି। ଆବେଦନରେ କୁହାଯାଇଛି, ସ୍ୱଚ୍ଛତାର ଅଭାବ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତାକୁ ଦୁର୍ବଳ କରୁଛି ।ଭୋଟରମାନେ ଦାତା ଏବଂ ସେମାନଙ୍କର ଉଦ୍ଦେଶ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନାରୁ ବଞ୍ଚିତ ହେଉଛନ୍ତି । ଏହା ସେମାନଙ୍କୁ ଭୋଟ ଦେବା ସମୟରେ ଯୁକ୍ତିଯୁକ୍ତ, ବିଚକ୍ଷଣ ଏବଂ ସୂଚିତ ନିଷ୍ପତ୍ତି ନେବାରୁ ବାଧା ଦିଏ। ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆସୁଥିବା ଆବେଦନଗୁଡ଼ିକର ତାଲିକା ଅନୁଯାୟୀ, ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ଅଛି। କୋର୍ଟ ପୂର୍ବରୁ କେନ୍ଦ୍ର, ନିର୍ବାଚନ କମିସନ ଏବଂ ଅନ୍ୟମାନଙ୍କ ନିକଟକୁ ଏହି ମାମଲାରେ ଜବାବ ମାଗି ନୋଟିସ୍ ଜାରି ।










