ଭୁବନେଶ୍ୱର: MMDR ଆକ୍ଟ ସଂଶୋଧନକୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଏହି ସଂଶୋଧନ ରାଜନୈତିକ ଲଢ଼େଇ ନୁହେଁ, ବରଂ ଓଡ଼ିଶାର ଅଧିକାର ଓ ସ୍ୱାର୍ଥର ପ୍ରଶ୍ନ ବୋଲି ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ତା’ର ଅଧିକାରରୁ ବଞ୍ଚିତ କରୁଥିବା ବିଜେଡି ଅଭିଯୋଗ କରିଛି । ସାମ୍ବାଦିକ ସମ୍ମିଳନୀରେ ‘କଳାପାହାଡ଼’ର ଉଦାହରଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । କେନ୍ଦ୍ର ସରକାର କଳାପାହାଡ଼ ରୂପରେ ଓଡ଼ିଶାର ଖଣିଜ ସମ୍ପଦକୁ ଅପହରଣ କରି ନେଉଥିବା ଦଳ ଅଭିଯୋଗ କରିଛି । ଓଡ଼ିଶା ମାଟି ତଳେ ଥିବା ଅମୂଲ୍ୟ ସମ୍ପଦ ଲୁଟ୍ ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିବା ଦାବି କରିଛି ଦଳ । ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି । ଏହାସହ ଓଡ଼ିଶା ସରକାର, କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତ କରୁଥିବା ଦଳ କହିଛି।
ବିଜେଡିର ଅଭିଯୋଗ ଅନୁସାରେ, ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶା ନିଜସ୍ୱ ରାଜସ୍ୱ ଉପରେ ଗୁରୁତ୍ୱ ଦେଇ ଭିତ୍ତିଭୂମି ବିକାଶ କରୁଥିଲା । କେନ୍ଦ୍ରର ଅର୍ଥ ଉପରେ ନିର୍ଭର ନକରି ରାଜ୍ୟର ଅର୍ଥ ରାଜ୍ୟରେ ଖର୍ଚ୍ଚ କରିବା ଦିଗରେ ନବୀନ ସରକାର ପଦକ୍ଷେପ ନେଇଥିଲା ବୋଲି ଦଳ କହିଛି ।MMDR ଆଇନ ସଂଶୋଧନ ଯୋଗୁଁ ଓଡ଼ିଶା ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ବିଜେଡି ଦାବି କରିଛି । ଦଳର ଅଭିଯୋଗ ଅନୁସାରେ, ରାଜ୍ୟ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ବକେୟା ପ୍ରାପ୍ୟ ହରାଇବା ସହ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ସହିବ ।କେନ୍ଦ୍ରୀୟ ପାଣ୍ଠି ବଢ଼ାଇବା ପାଇଁ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରାଯାଉଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟର ଅଧିକାର ଓ କ୍ଷମତାକୁ ହ୍ରାସ କରିବା ପାଇଁ ଆଇନରେ ସଂଶୋଧନ କରାଯାଇଥିବା ଦଳ କହିଛି । ଏହି ପ୍ରସଙ୍ଗରେ ଓଡ଼ିଶାର ବିଜେପି ସାଂସଦମାନେ ନୀରବ ରହିଥିବା ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି । ଏହି ପ୍ରସଙ୍ଗକୁ ନେଇ ବିଜେଡି ଆଗାମୀ ଦିନରେ ତୀବ୍ର ବିରୋଧ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।










