ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଥିବା ବେଳେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । କେଉଁଠି ପ୍ରବଳ ବର୍ଷା ହେବ, ତ ଆଉ କେଉଁଠି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନର ଆଶଙ୍କା ରହିଛି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ସମ୍ବଲପୁର ଅଞ୍ଚଳ ପାଇଁ ସତର୍କତା ଜାରି ହୋଇଛି। ଏହି ସବୁ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଓ ରାସ୍ତାଘାଟରେ ପାଣି ଜମିବା ଭଳି ସମସ୍ୟା ଦେଖାଦେଇପାରେ ।
ଅନ୍ୟପଟେ, ରାଜ୍ୟର ଅବଶିଷ୍ଟ ୨୪ଟି ଜିଲ୍ଲାରେ ମଧ୍ୟ ପାଣିପାଗକୁ ନେଇ ସତର୍କତା ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ। ତେଣୁ ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବା ସହ ଅତ୍ୟାବଶ୍ୟକ ନଥିଲେ ଖୋଲା ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପର ପ୍ରଭାବ କେବଳ ସ୍ଥଳଭାଗରେ ନୁହେଁ, ସମୁଦ୍ର ଉପରେ ମଧ୍ୟ ପଡ଼ିଛି। ଓଡ଼ିଶା ଉପକୂଳ ନିକଟ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀମାନେ ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମୁଦ୍ରରୁ ଦୂରେ ରହିବାକୁ କୁହାଯାଇଛି । ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବାକୁ ଥିବା ବେଳେ ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଯଦି ଏହି ଆକଳନ ସତ ହୁଏ, ତେବେ ଅଗଷ୍ଟ ଶେଷ ସପ୍ତାହରେ ମଧ୍ୟ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିପାରେ ।










