27.1 C
Bhubaneswar
Monday, August 24, 2026
Homeଓଡିଶାବର୍ଷା ଓ ବନ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଜାଗ

ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଜାଗ

– ସମସ୍ତ ପରିସ୍ଥିତି ଉପରେ ୨୪ ଘଣ୍ଟା ପ୍ରଶାସନର ନଜର

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ଆଜି ୨୪ ଅଗଷ୍ଟ ୨୦୨୬ ସକାଳ ୧୧ଟା ସୁଦ୍ଧା ପ୍ରାପ୍ତ ସ୍ଥିତି ଅନୁଯାୟୀ, ସମଗ୍ର ପରିସ୍ଥିତିକୁ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ୨୪ ଘଣ୍ଟା ନିରୀକ୍ଷଣ କରାଯାଉଛି। ସମ୍ପ୍ରତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଉତ୍ତର ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ଏହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୪୦-୫୦ କି.ମି. ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।

ଏଥିସହ ବାଲେଶ୍ୱର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ହାରାହାରି ବର୍ଷା ପରିମାଣ ୩୨.୯ ମି.ମି. ରେକର୍ଡ ହୋଇଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକରେ ସର୍ବାଧିକ ୧୬୯.୪ ମି.ମି. ବର୍ଷା ରେକର୍ଡ ହୋଇଛି। ୮ଟି ବ୍ଲକ୍ ଏବଂ ଗୋଟିଏ ପୌରାଞ୍ଚଳରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିବା ବେଳେ ୭୩ଟି ବ୍ଲକ ଓ ୪ଟି ପୌରାଞ୍ଚଳର ୬ଟି ଷ୍ଟେସନରେ ୫୦ରୁ ୧୦୦ ମି.ମି. ମଧ୍ୟରେ ବର୍ଷା ହୋଇଛି। ଅଗଷ୍ଟ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସଞ୍ଚିତ ବର୍ଷା ପରିମାଣ ୩୨୭.୦ ମି.ମି. ରହିଛି, ଯାହା ସ୍ୱାଭାବିକ ହାର ୨୭୫.୬ ମି.ମି. ତୁଳନାରେ ୧୮.୬ ପ୍ରତିଶତ ଅଧିକ। ସେହିପରି ଜୁନ୍ ୧ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ସଞ୍ଚିତ ବର୍ଷା ୧୦୮୩.୨ ମି.ମି. ରହିଛି, ଯାହା ସ୍ୱାଭାବିକ ହାରଠାରୁ ୩୨.୧ ପ୍ରତିଶତ ଅଧିକ। ଆଖୁଆପଦାଠାରେ ବୈତରଣୀ ଏବଂ ମଥାନି ଠାରେ ଜଳକା ନଦୀର ଜଳପତ୍ତନ ସ୍ତର ଆଜି ସକାଳ ୯ଟା ସୁଦ୍ଧା ସତର୍କ ସ୍ତରଠୁଁ ସାମାନ୍ୟ ଅଧିକ ରହିଛି l

ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ୨ଟି ବ୍ଲକ(ଭୋଗରାଇ ଓ ବାଲିଆପାଳ), ଭଦ୍ରକର ୩ଟି(ତିହିଡ଼ି, ଚାନ୍ଦବାଲି, ), ଯାଜପୁରର ୫ଟି(ଦଶରଥପୁର, ବରୀ, ରସୁଲପୁର, ବିଞ୍ଝାରପୁର, ଯାଜପୁର), କେନ୍ଦ୍ରାପଡ଼ାର ୫ଟି(ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା), କଳାହାଣ୍ଡିର ୫ଟି (ଥୁଆମୂଳ ରାମପୁର, ଜୟପାଟଣା, କଲମପୁର, କୋକସରା, ଜୁନାଗଡ଼) ଏବଂ କୋରାପୁଟର ଗୋଟିଏ ବ୍ଲକ୍ (କୋଟପାଡ଼) ପ୍ରଭାବିତ ହୋଇଛି। ବିଭିନ୍ନ ଜିଲ୍ଲାରେ ରିଲିଫ୍ କ୍ୟାମ୍ପ ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ଓ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ODRAF, NDRF ଏବଂ Fire & Emergency Servicesର ମୋଟ ୬୭ଟି ଟିମ୍ ମୁତୟନ ହୋଇଛନ୍ତି। ଏଥିରେ ୧୫ଟି ODRAF, ୮ଟି NDRF ଏବଂ ୪୪ଟି Fire & Emergency Services ଟିମ୍ ରହିଛି। ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀ ପ୍ରତିକ୍ରିୟାମୂଳକ କାର୍ଯ୍ୟ ପାଇଁ SDRFରୁ ପର୍ଯ୍ୟାୟକ୍ରମେ ମୋଟ ୧୭୦.୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାସହ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମୋଟ ୧୫୬୨.୮୧ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଣ ହୋଇଛି।

ଜିଲ୍ଲା ପ୍ରଶାସନଗୁଡ଼ିକୁ ସ୍ଥାନୀୟ ଜଳବନ୍ଦୀ, ତଳିଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ ଅଣ୍ଡରପାସ୍ ବନ୍ଦ ହେବା, କଚ୍ଚା ରାସ୍ତା ଓ ଦୁର୍ବଳ ଢାଞ୍ଚାର କ୍ଷତି, ଭୂସ୍ଖଳନ ଏବଂ ବଗିଚା ଓ ଠିଆ ଫସଲର କ୍ଷତି ଭଳି ସମ୍ଭାବ୍ୟ ପରିସ୍ଥିତି ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବଜ୍ରପାତ ସମୟରେ ଲୋକମାନେ ସୁରକ୍ଷିତ ଆଶ୍ରୟ ନେବା ସହ ପାଣିପାଗ ସୂଚନା ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଓଡ଼ିଶା ଉପକୂଳ ଓ ଏହାର ନିକଟ ସମୁଦ୍ରରେ ୨୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରଖି ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସୁନିଶ୍ଚିତ କରାଯାଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking