ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ପ୍ରସଙ୍ଗ
ରାଜ୍ୟର ହକ୍କୁ ଛଡ଼ାଇ ନେଲେ କେନ୍ଦ୍ର ସରକାର
ଗଣତନ୍ତ୍ରକୁ ହତ୍ୟା କରିଚାଲିଛି ଡବଲ ଇଞ୍ଜିନ ସରକାର
ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିଛନ୍ତି ସରକାର
ଭୁବନେଶ୍ୱର: ବିନା ଆଲୋଚନାରେ ସଂସଦରେ ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ପାରିତ ହୋଇଛି । ଯାହା ଦ୍ୱାରା ରାଜ୍ୟର ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ ଡବଲ ଇଞ୍ଜିନ ସରକାରଙ୍କ ରାଜ୍ୟ ବିରୋଧୀ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ ।
କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍କୁ କେନ୍ଦ୍ର ବିଜେପି ସରକାର ବିନା ଆଲୋଚନାରେ ସଂସଦରେ ପାରିତ କରାଇଛନ୍ତି । ସୁପି୍ରମକୋର୍ଟ ଯେତେବେଳେ ରାଜ୍ୟଗୁଡ଼ିକର ରାଜସ୍ୱ ଅଧିକାରୀକୁ ସ୍ୱୀକୃତି ଦେଇଛନ୍ତି, ସେତେବେଳେ ରାଜ୍ୟ ମାନଙ୍କ ସହିତ ବିନା ଆଲୋଚନା ଓ ପରାମର୍ଶରେ କେନ୍ଦ୍ର ସରକାର କାହିଁକି ଆଇନ ମାଧ୍ୟମରେ ଏହି ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି ? ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ । କିନ୍ତୁ ତାହାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ହକ୍କୁ ଛଡ଼ାଇ ନେଇଛନ୍ତି । ଖଣି କ୍ଷେତ୍ରରୁ ଆଦାୟ ଉକ୍ତ ଟ୍ୟାକ୍ସ ଅର୍ଥ ରାଜ୍ୟର ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଆଇନ ବଳରେ ପ୍ରତିବର୍ଷ ଖଣି ରାଜସ୍ୱ ଭାବେ ୧୨,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବ ଓଡ଼ିଶା । ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାର ଖଣିରୁ ଟ୍ୟାକ୍ସ ଆଦାୟ କ୍ଷମତା କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଇଛନ୍ତି । ରାଜ୍ୟ ସ୍ୱାର୍ଥ ବିରୋଧରେ ଯାଇଥିବା ଏହି ବିଲ୍କୁ ବିଜେପିର ୨୦ ଜଣ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ସମର୍ଥନ କରିବା ଦୁର୍ଭାଗ୍ୟଜନକ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବିଧାନସଭାରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ବିଜେପି ତାହାର ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ତାହା କରୁନାହିଁ । ଏହି ବିଲ୍ ଫଳରେ ବକେୟା ଥିବା ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଖଣି ରାଜସ୍ୱ ଆଦାୟ ହୋଇପାରିବ ନାହିଁ । ଖଣି ମାଲିକଙ୍କ ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି ଡବଲ ଇଞ୍ଜିନ ସରକାର ।
ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ ଯେ, ଖଣିଜ ସମ୍ପଦରୁ ରାଜ୍ୟକୁ ସର୍ବାଧିକ ପରିମାଣର ଆୟ ହୋଇଥାଏ । କିନ୍ତୁ ତାହାକୁ କେନ୍ଦ୍ର ସରକାର ଛଡ଼ାଇ ନେଇ ରାଜ୍ୟର ଅର୍ଥନୀତିକୁ ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ବିଜେଡି ସରକାର ସମୟରେ ରାଜ୍ୟର ଖଣିଜ ସମ୍ପଦରୁ ଆୟ ବୃଦ୍ଧି ପାଇ ତାହା ୫୦,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା, ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ଶିଳ୍ପ ସମୃଦ୍ଧ ରାଜ୍ୟକୁ ପଛରେ ପକାଇ ଅଧିକ ଖଣି ରାଜସ୍ୱ ଆଦାୟ କରିଥିଲା । ଏମଏମଡିଆର ଆଇନ ବଳରେ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଭାବେ ରାଜ୍ୟର ଅର୍ଥନୈତିକ ହକ୍କୁ ଛଡ଼ାଇ ନେଲେ । ରାଜ୍ୟ ଆର୍ଥିକ କ୍ଷତି ସହିବାକୁ ଯାଉଥିବା ବେଳେ ସମସ୍ତ ବିଜେପି ସାଂସଦ ମାନେ ସଂସଦରେ ମୁଁହ ଖୋଲିଲେ ନାହିଁ । ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ହାତରେ ରାଜ୍ୟର ହକକୁ ଟେକି ଦେଇଛନ୍ତି । ଯାହା ଫଳରେ ଆଗକୁ ବଜେଟ ପାଇଁ ଅଧିକ ଋଣ କରିବ ଓଡ଼ିଶା । ଭବିଷ୍ୟତ ପିଢ଼ିଙ୍କ ଉପରେ ଋଣ ଭାର ବୃଦ୍ଧି ପାଇବ । ବିଜେପି ସରକାରଙ୍କୁ କର୍ପୋରେଟ ଚିନ୍ତା ଘାରିଥିବା ବେଳେ ଲୋକଙ୍କ ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ତେଣୁକରି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଲଢେଇ ଜାରି ରଖିବ ।










