ନୂଆଦିଲ୍ଲୀ: ଉତ୍ତର ଭାରତସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସୋମବାର ମୌସୁମୀ ସକ୍ରିୟ ହେବା ଯୋଗୁ ଦିନ ସାରା ପ୍ରବଳ ବର୍ଷା ଲାଗି ରହିଛି। ଦିଲ୍ଲୀ ଓ ସଂଲଗ୍ନ ଏନ୍ସିଆର୍ ଅଞ୍ଚଳ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ପ୍ରବଳ ବର୍ଷା ଓ ପବନ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନବନ୍ଦରରେ ପ୍ରତିକୂଳ ପାଗ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି, ପ୍ରାୟ ୩୮୫ ଟି ବିମାନ ବିଳମ୍ବିତ/ପ୍ରଭାବିତ ହୋଇଛି, ୨୬ ଟି ବାତିଲ ହୋଇଛି ଓ ୧୫ ଟି ଅନ୍ୟତ୍ର ଗତି ପରିବର୍ତ୍ତନ କରିଛି, ଯେଉଁଥିରେ ତିନିଟି ଅନ୍ତର୍ଜାତୀୟ ବିମାନ ରହିଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ଦିଲ୍ଲୀ-ଏନ୍ସିଆର୍ରେ ଓ ଆଖାପାଖ ଅଞ୍ଚଳରେ ଅଧିକ ମୌସୁମୀ ବର୍ଷା ନେଇ ଆକଳନ କରିଛି। ଉତ୍ତରାଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଇଏମ୍ଡି ଆକଳନ କରିଛି। ଆଇଏମ୍ଡି ଗୁରୁଗ୍ରାମ ଓ ଫରିଦାବାଦ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଗୁରୁଗ୍ରାମର ଇସଲାମପୁର ଗାଁ ନିକଟରେ ସୋହନା ରୋଡର ସର୍ଭିସ୍ ଲେନରେ ପ୍ରାୟ ଦୁଇ ଫୁଟ ପାଣି ଜମି ଯାଇଥିଲା। ପାଣି ଜମା ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଓ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ହୋଇଥିଲା। ଇଣ୍ଡିଆ ଗେଟ୍ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଲୋକମାନଙ୍କୁ ଗରମରୁ ଆଶ୍ବସ୍ତି ମିଳିଛି।










