ଭୁବନେଶ୍ୱର : ସରକାରୀ ସେବା ଦେବାରେ ବିଳମ୍ବ କଲେ ଏଣିକି ବାବୁଙ୍କୁ ଦେବାକୁ ପଡ଼ିବ ତଣ୍ଡ! ସାଧାରଣ ଲୋକଙ୍କୁ ସମୟସୀମା ଭିତରେ ସରକାରୀ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଓଡ଼ିଶା ଜନସେବା ଅଧିକାର ଆଇନରେ ଲାଗୁ ହୋଇଛି ‘ଅଟୋ ଅପିଲ୍ ସିଷ୍ଟମ’। ଏହି ବ୍ୟବସ୍ଥା ଅନୁସାରେ, କୌଣସି ସରକାରୀ ସେବା ପାଇଁ ଆବେଦନ କରିବା ପରେ ନିର୍ଦ୍ଧାରିତ ୩୦ ଦିନ ମଧ୍ୟରେ କାମ ନହେଲେ, ଅଭିଯୋଗଟି ସ୍ୱୟଂଚାଳିତ ଭାବେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଚାଲିଯିବ । ଅର୍ଥାତ୍, ଆବେଦନକାରୀଙ୍କୁ ଅଲଗା ଭାବେ ଅପିଲ୍ କରିବାର ଆବଶ୍ୟକତା ରହିବ ନାହିଁ ।କେବଳ ସେତିକି ନୁହେଁ, ସେବା ଦେବାରେ ବିଳମ୍ବ କଲେ ଦାୟୀ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା ଜରିମାନା କଟାଯିବ । ଏହି ଜରିମାନା ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସରକାରୀ କାର୍ଯ୍ୟାଳୟରେ କାମ ପାଇଁ ଦିନ ଦିନ ଧରି ଦୌଡ଼ିବା ଏବଂ ଅଯଥା ବିଳମ୍ବର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ଆଶ୍ୱସ୍ତି ଆଣିପାରେ । ସରକାରୀ ସେବାକୁ ଅଧିକ ପାରଦର୍ଶୀ, ଦ୍ରୁତ ଏବଂ ଉତ୍ତରଦାୟୀ କରିବା ହେଉଛି ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ ।










