ମୟୂରଭଞ୍ଜ: ଖାଦ୍ୟ ଅନ୍ବେଷଣରେ ଦନ୍ତା ଏବେ ଜନବସତି ମୁହାଁ ହୋଇଛନ୍ତି । ମୟୂରଭଞ୍ଜ ବେତନଟୀ ରେଞ୍ଜରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀକୁ ଘଉଡ଼ାଇବା ବେଳେ ଜଣେ ଯୁବକଙ୍କର ଜୀବନ ଚାଲି ଯାଇଛି । ମୃତକ ହେଲେ ମୋରଡ଼ା ମୁକୁନ୍ଦ ଗାଁର କମଳାକାନ୍ତ ସିଂହ ।ବେତନଟୀଗାଁରେ ୧୩ ଟିକିଆ ହାତୀପଲ ଉତ୍ପାତ ଖେଳାଇଛନ୍ତି । ସୂଚନା ଅନୁସାରେ, ହାତୀପଲ ଗାଁକୁ ପଶି ଆସିଥିବାବେଳେ ଯୁବକ ଜଣକ ହାତୀ ଘଉଡ଼ାଇଥିଲେ । ଏହି ସମୟରେ ହାତୀପଲଙ୍କ ପାଲଟା ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ବାରମାଇଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଯାହାପରେ ହାତୀକୁ ନେଇ ଗାଁର ଭୟର ବାତାବରଣ ଖେଳିଯାଇଛି । ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିଲେ ମଧ୍ୟ ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।










