ଭୁବନେଶ୍ୱର: ରାଜ୍ୟ ଏନଏସ୍ଏସ୍ ଶାଖା, ଉଚ୍ଚଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟର ଏନଏସ୍ଏସ୍ ସ୍ବେଚ୍ଛାସେବୀମାନଙ୍କ ପାଇଁ ସୁପୋଷିତ ଓଡ଼ିଶା ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଭବନରେ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏନଏସ୍ଏସ୍ ସ୍ବେଚ୍ଛାସେବୀ, ଜିଲ୍ଲା ନୋଡାଲ ଅଧିକାରୀ ଓ ପ୍ରୋଗ୍ରାମ୍ ଅଫିସରମାନେ ସାମିଲ ହୋଇଥିଲେ।ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମୃଣାଳିନୀ ଦର୍ସ୍ବାଲ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଉପ ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।
ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଅଧ୍ୟୟନରତ ପିଲାମାନଙ୍କର ପୋଷଣ ସମ୍ପର୍କିତ ତଥ୍ୟକୁ ସଂଗ୍ରହ କରିବା ଏବଂ ଏକ ସୁପୋଷିତ ଓଡ଼ିଶା ଗଠନରେ ଏନଏସ୍ଏସ୍ ସ୍ବେଚ୍ଛାସେବୀମାନେ ନିଜର ଯୋଗଦାନ ଦେବେ। ଏହି ଦାୟିତ୍ୱକୁ ସଠିକ ରୂପେ ନିର୍ବାହ କରିବା ପାଇଁ ସୁପୋଷିତ ଓଡ଼ିଶା ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମସ୍ତ ସ୍ବେଚ୍ଛାସେବୀମାନଙ୍କ ପାଇଁ ନିଶ୍ଚିତ ରୂପେ ସହାୟକ ହେବ ବୋଲି ଶ୍ରୀମତୀ ଦର୍ସ୍ଵାଲ ମତପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦୦୦ ମହିଳା ଏନଏସ୍ଏସ୍ ସ୍ବେଚ୍ଛାସେବୀ ରାଜ୍ୟର ୨୩,୦୦୦ ଅଙ୍ଗନୱାଡି କେନ୍ଦ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ପୋଷାଣ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରିବେ। ସୁପୋଷିତ ଓଡ଼ିଶା ଅଭିଯାନରେ ସାମିଲ ହୋଇଥିବା ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏକ ସୁସ୍ଥ ଓ ସୁପୋଷିତ ଓଡ଼ିଶା ଗଠନରେ ଏନଏସ୍ଏସ୍ ସ୍ବେଚ୍ଛାସେବୀମାନେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଶ୍ରୀ ଅଗ୍ରୱାଲ ମତପ୍ରକାଶ କରିଛନ୍ତି।










