27.1 C
Bhubaneswar
Tuesday, August 18, 2026
Homeଓଡିଶାପ୍ରଭାବିତ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ଇନପୁଟ୍‌ ସବସିଡି ସହାୟତା ପ୍ରଦାନ: ମୁଖ୍ୟମନ୍ତ୍ରୀ

ପ୍ରଭାବିତ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ଇନପୁଟ୍‌ ସବସିଡି ସହାୟତା ପ୍ରଦାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟର ବନ୍ୟା ପ୍ରଭାବିତଙ୍କ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ୟାକେଜ୍ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଘୋଷଣା କରାଯାଇଛି । ଚୂଡାନ୍ତ ଆକଳନ ପରେ ଏହି ସହାୟତା ପରିମାଣ ବୃଦ୍ଧି କରାଯାଇପାରେ ।ଆଜି ସକାଳେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ ସହାୟତା ସମ୍ପର୍କରେ ଆଲୋଚନା କରିବା ପରେ ଲୋକସେବା ଭବନ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି । ଅର୍ଥ ଏ ଦିଗରେ ପ୍ରତିବନ୍ଧକ ହେବ ନାହିଁ, ଯାହା ଆବଶ୍ୟକ ଯୋଗାଇ ଦିଆଯିବ ।

 

ବନ୍ୟାର କାରଣ ସମ୍ପର୍କରେ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ବର୍ଷା ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ରହିଛି । ଜୁନ, ଜୁଲାଇ, ଅଗଷ୍ଟ- ଗତ ତିନି ମାସ ମଧ୍ୟରେ ୧୧୦୦ ମିଲିମିଟର’ରୁ ଅଧକ ବର୍ଷା ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପରିମାଣ ସ୍ୱାଭାବିକ ବର୍ଷା ପରିମାଣରୁ ୩୪ ପ୍ରତିଶତ ଅଧିକ । ଗତ ୨୫ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ବି ହୋଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କାଲି ସେ ସଡକ ମାର୍ଗରେ ଯାଇ ପ୍ରଭାବିତ ଅଞ୍ଚଳରେ ବୋଟ୍‌ ଯୋଗେ ଓ ପାଦରେ ଚାଲି ଚାଲି ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କସପା ଓ ତରପଦା ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମ ଓ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ଭେଟି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ସ୍କୁଲରେ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏହା ସହିତ ଭଦ୍ରକ ଜିଲ୍ଲାର ଦପାନାଆକାଣି ସ୍କୁଲ ସ୍ଥିତ ଆଶ୍ରୟସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା, ବିଶେଷକରି ରିଲିଫ୍‌ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ଗଣମାଧ୍ୟମକୁ ଏହି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରଙ୍କ ରିଲିଫ୍‌ ଓ ଅନ୍ୟାନ୍ୟ ସହାୟତା ବାବଦରେ ଜନସାଧାରଣ ସନ୍ତୁଷ୍ଟ ଅଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର । ଯେକୌଣସି ବିପର୍ଯ୍ୟୟ ଆସୁନା କାହିଁକି, ଆମେ ଲୋକଙ୍କ ସୁଖ ଦୁଃଖରେ ଅଛୁ ଓ ରହିବୁ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭଦ୍ରକ ଓ ଯାଜପୁର ସହିତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବନ୍ୟାସ୍ଥିତି ଉପୁଜିଛି । ଏହି ୬ ଟି ଜିଲ୍ଲାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଜିଲ୍ଲା ଗୁଡ଼ିକର ୭୪ଟି ବ୍ଲକର ୧୩୮୧ଟି ଗାଁ’ର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୫୫୦ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ୬ ଟି ଜିଲ୍ଲାରେ ସମୁଦାୟ ୪୫ଟି ODRAF, ୮ଟି NDRF ଏବଂ ୬୫ଟି ଅଗ୍ନଶମ ସେବା ଦଳ ନିୟୋଜିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟରେ ବନ୍ୟା ପ୍ରଭାବିତ ଚାଷୀମାନଙ୍କ ପାଇଁ କୃଷି ଇନପୁଟ୍‌ ସବସିଡି ସହିତ ବିଭିନ୍ନ ପ୍ରକାରର ସହାୟତା ବ୍ୟବସ୍ଥା କରାଯାଇଛି । ଏହା ହେଲା-

୧ – ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ କୃଷି ଇନପୁଟ୍‌ ସବ୍‌ସିଡି ବାବଦକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ । ଏଥିରେ 33 ପ୍ରତିଶତ ଓ ତାହାଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹8,500, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹17,000 ଏବଂ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ₹22,500 କୃଷି ଇନପୁଟ୍ ସବସିଡି ପ୍ରଦାନ କରାଯିବ।

୨- କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିଭିନ୍ନ ପ୍ରଜାତିର ଧାନ ଓ ଅଣଧାନ (ଯଥା-ବିରି) ବିହନ କିଣିବା ନିମନ୍ତେ ଆର୍ଥିକ ସହାୟତା DBT ମାଧ୍ୟମରେ ପ୍ରଦାନ କରାଯିବ । ସରକାରଙ୍କ ତରଫରୁ ସରକାରୀ ଓ ଘରୋଇ ବ୍ୟବସ୍ଥା ମାଧ୍ୟମରେ ଆବଶ୍ୟକୀୟ ବିହନ ଚାଷୀମାନଙ୍କୁ କିଣିବା ପାଇଁ ଉପଲବ୍‌ଧ କରାଯିବ ।

୩- କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମାଗଣାରେ ପନିପରିବା ମିନିକିଟ୍ ପ୍ରଦାନ କରାଯିବ । ବନ୍ୟା ପରବର୍ତ୍ତୀ ରୋଗ ପୋକ ପରିଚାଳନା ପାଇଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୭୫% ସବ୍‌ସିଡି ପ୍ରଦାନ କରାଯିବ ।

୪- କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

୫- ପ୍ରାଣିସମ୍ପଦ କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାବ୍ୟତୀତ ନଷ୍ଟ ହୋଇଯାଇଥିବା ଡଙ୍ଗା, ଜାଲ, ପୋଖରୀ ଇତ୍ୟାଦି ପାଇଁ ଆର୍ଥିକ ସହାୟତା ଦିଆଯିବ ।

୬- ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣକୁ ମଧ୍ୟମ ଅବଧି କୃଷି ଋଣରେ ପରିଣତ କରାଯିବ ।

୭- ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କ୍ଷତିଗ୍ରସ୍ତ ଉପକରଣ/ଯନ୍ତ୍ରପାତି କିଣିବା ପାଇଁ ୫ ହଜାର ଟଙ୍କା ଏବଂ କଞ୍ଚାମାଲ/ପ୍ରସ୍ତୁତ ସାମଗ୍ରୀ କ୍ଷତି ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯିବ ।

୮- ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, କେନାଲବନ୍ଧର ସାମୟିକ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ସମସ୍ତ କ୍ଷତିଗ୍ରସ୍ତ ଭିତ୍ତିଭୂମି କ୍ଷତିର ଆକଳନ ପରେ ସ୍ଥାୟୀ ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

୯- ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ/ଶୁଖିଲା ଖାଦ୍ୟ ଯୋଗାଣ ଜାରି ରହିବ। ଏହା ସହିତ ଅତିରିକ୍ତ ଭାବରେ ଆବଶ୍ୟକୀୟ ରିଲିଫ୍ ଚାଉଳ ଯୋଗାଇ ଦିଆଯିବ ।

୧୦- ବନ୍ୟା ପ୍ରଭାବିତ ବ୍ୟକ୍ତି ବିଶେଷଙ୍କୁ ବାସନ-କୁସନ ଓ ବସ୍ତ୍ର ନିମନ୍ତେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯିବ ।

ଗଣମାଧ୍ୟମକୁ ବିବୃତ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ସହିତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking